ଧର୍ମଶାଳା : ଯାଜପୁର ଜିଲା ରସୁଲପୁର ତହସିଲ ଅଂଚଳରୁ ଦିନକୁ ଦିନ ଶହଶହ ବେଆଇନ ବାଲି ଉତୋଳନ ହେଉଛି । ଯାହାକୁ ନେଇ ସବୁ ବେଳେ ରସୁଲପୁର ତହସିଲ ଜିଲାରେ ଚର୍ଚ୍ଚାରେ ରହି ଆସୁଛି । ଲକ୍ଷଲକ୍ଷ ଟଙ୍କା ରାଜସ୍ୱ ଫାଙ୍କି ଲୁଟେରା ସକ୍ରୀୟ ହୋଇପଡିଛନ୍ତି । ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନ ଥିବା ବେଳେ ପରୋକ୍ଷରେ ସେମାନଙ୍କୁ ସହଯୋଗ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳୁଛି ମଙ୍ଗରାଜପୁର ପଂଚାୟତସ୍ଥ ଲଙ୍କାବାଲିସାହି ନିକଟସ୍ଥ ବ୍ରାହ୍ମଣୀ ନଦୀରେ ।
ଅଭିଯୋଗ ମୁତାବକ, ସାମନ୍ତରାପୁର ରାଜସ୍ୱ ସର୍କଲ ତଥା ମଙ୍ଗରାଜପୁର ପଂଚାୟତ ଲଙ୍କାବାଲିସାହି ବ୍ରହ୍ମଣୀ ନଦୀ ଅବବାହିକାରୁ ଦୈନଦିନ ଶହଶହ ଟ୍ରିପ ଟ୍ରାକ୍ଟର ଯୋଗେ ବେଆଇନଭାବେ ବାଲି ଉତୋଳନ ହେଉଛି । ବାଲି ବୋଝେଇ ଟ୍ରାକ୍ଟରରେ ପାଲ ପକା ନ ଯିବାରୁ ଯାତାୟତ ସମୟରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନଦୀ କୂଳରେ ବଡ ବଡ ଖାଲ ହେବା ଯୋଗୁଁ ସ୍ଥାନୀୟ ଲୋକେ ନଦୀକୁ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ମହିଳା ଓ ବୃଦ୍ଧବୃଦ୍ଧାମାନେ ବହୁ ହଇରାଣ ହରକତ ହେଉଛନ୍ତି । ଅନ୍ୟ ପକ୍ଷେ ଏହି ସ୍ଥାନରୁ ବାଲି ଉତୋଳନ ପାଇଁ ତହସିଲ ପକ୍ଷରୁ କୌଣସି ଅନୁମତି ନାହିଁ । ରସୁଲପୁର ତହସିଲ ଓ ସାମନ୍ତରାପୁର ରାଜସ୍ୱ ନିରୀକ୍ଷକ ଏ ଘଟଣା ଉପରେ ସେମାନଙ୍କ କିପରି ନଜର ପଡୁ ନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିପ୍ରତି ଜିଲାପାଳ ତୁରନ୍ତ ଦୃଷ୍ଟି ଦେଇ ଲୁଟେରାଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।