ତାଳଚେର : ଗତକାଲି ଶୁକ୍ରବାର ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ମାଧ୍ୟମରେ ଜିଲ୍ଲାରେ ବିଭିନ୍ନ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ୧୦ ଜଣ ଡାକ୍ତରଙ୍କୁ ତାଳଚେର ମେଡ଼ିକାଲ କଲେଜରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ଏ ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା କାଳନ୍ଦି ସାମଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜିଲ୍ଲାରେ ସମସ୍ତ ସରକାରୀ ଡାକ୍ତରଖାନାରେ ଡାକ୍ତର ସଂଖ୍ୟା ଘୋର ଅଭାବ,ଡାକ୍ତର ପଦବୀ ଖାଲି ପଡ଼ିଛି, ଖାଲି ପଡିଥିବା ସ୍ଥାନରେ ଡାକ୍ତରଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ, କାର୍ଯ୍ୟରତ ଡାକ୍ତରଙ୍କୁ ତାଳଚେର ମେଡିକାଲ କଲେଜକୁ ଡେପୁଟସନ ରେ ପଠାଇଲେ ଜିଲ୍ଲାର ସ୍ୱାସ୍ଥ୍ୟ ସେବା କଣ ହେବ ବୋଲି ସାମଲ ପ୍ରଶ୍ନ କରିଛନ୍ତି। ତାଳଚେର ମେଡ଼ିକାଲ କଲେଜ ପାଇଁ କେନ୍ଦ୍ର ମୋଦି ସରକାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଜାଗା, ଜମି, ମେଡ଼ିକାଲ କ୍ୟାମ୍ପସ, ହସ୍ପିଟାଲ, ଏବଂ ପରିଚାଳନା ପାଇଁ ସମସ୍ତ ଅର୍ଥ ପାଖାପାଖି ୧୫୦୦ କୋଟି ଟଙ୍କା ଏମ୍ସିଏଲ ପକ୍ଷରୁ ଯୋଗାଇ ଦିଆଯାଇଛି, ସେହି ଟଙ୍କାରେ ନୂତନ ଭାବେ ଅଭିଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦେବା କଥା, ମାତ୍ର ରାଜ୍ୟ ସରକାର ତାହା ନ କରି ଜିଲ୍ଲାରେ କାର୍ଯ୍ୟରତ ଡାକ୍ତର ଙ୍କୁ ଡେପୁଟେସନ ରେ ପଠାଇ ଦେଉଛନ୍ତି। ଏହା ଫଳରେ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଆହୁରି ବିଗିଡି ଯିବ ।
ମେଡ଼ିକାଲ କଲେଜ ଚାଲିବା ନେଇ ସାଂସଦ, ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁ ନାହାଁନ୍ତି, ଜିଲ୍ଲାରେ ଡାକ୍ତର ଅଭାବ ନେଇ କେବେ ମୁହଁ ଖୋଲୁ ନାହାନ୍ତି, ଏବେ କର୍ତବ୍ୟରତ ଡାକ୍ତରଙ୍କୁ ଡେପୁଟେସନ ରେ ପଠାଇଲେ ରୋଗୀ ସେବା ବିପର୍ଯ୍ୟସ୍ତ ହେବ ସେ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଅବଗତ କରାଉନାହାନ୍ତି ବୋଲି ସାମଲ ପ୍ରଶ୍ନ କରିଛନ୍ତି। ଜିଲ୍ଲାରେ ସମସ୍ତ ସରକାରୀ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଯୋଗାଇ ଦେବାକୁ ସାମଲ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିବା ସହ ତାଳଚେର ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଦାବୀ ଦୋହରାଇଛନ୍ତି।