ଭୁବନେଶ୍ୱର : ବିରୋଧୀ ଦଳର ବିଧାୟକ ମାନଙ୍କ ହଟ୍ଟଗୋଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ସ୍ଥାନକୁ ଯାଇ ଅଭିଯୋଗ ଗ୍ରହଣ କରି ସମାଧାନ ଲାଗି ସିଏମଓର ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ତେବେ ଏହି ସମୟରେ ପୋଡିୟମ ତଳେ ବିଜେପି ବିଧାୟକଙ୍କ ହଟ୍ଟଗୋଳ ଜାରି ରଖିଥିଲେ । ମନ୍ତ୍ରୀ ବଡ଼ ନା ସଚିବ ବଡ଼, ଗଣତନ୍ତ୍ରକୁ ହତ୍ୟା ଭଳି ସ୍ଲୋଗାନ ଦେଇ ସେମାନେ ନାରାବାଜି କରିଥିଲେ ।
ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି ଯେ, କୋଭିଡ ସମୟରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଟକୁ ଲୋକେ ଆସିପାରୁ ନଥିଲେ, ଅଭିଯୋଗ ଦାଖଲ କରିପାରୁ ନଥିଲେ । କୋଭିଡ ପରେ ଅଭିଯୋଗ କମ ଆସିଲା ତେଣୁ ସିଏମ ଅଭିଯୋଗ ପ୍ରକୋଷ୍ଠ ମୋ ନିର୍ଦେଶରେ ଲୋକଙ୍କ ପାଖକୁ ଗଲେ ।
ସେ କହିଛନ୍ତି ଯେ ପ୍ରକୋଷ୍ଠ ୬ ମାସରେ ୧୯୦ ଟି ସ୍ଥାନକୁ ଯାଇଛନ୍ତି, ୫୭୪୪୨ ଅଭିଯୋଗ ଗ୍ରହଣ ହୋଇଛି, ସେଥିମଧ୍ୟରୁ ୪୩୫୩୬ ସମାଧାନ ହୋଇଛି । ଦୁଇ ତିନି ମାସରେ ସମାଧାନ ହୋଇ ନଥିବା ଅଭିଯୋଗକୁ ସମାଧାନ କରାଯିବ ।
ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସର୍ବଦା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ, ଏଥିରେ ମନ୍ତ୍ରୀଙ୍କ ଆବଶ୍ୟକତା ନାହିଁ । ଅଭିଯୋଗ ଦାଖଲ ପରେ ବିଭାଗ ଅନୁଯାଇ ମନ୍ତ୍ରୀମାନଙ୍କ ତତ୍ୱାବଧନରେ ଏହାର ସମାଧାନ କରନ୍ତି ।
ସେ କହିଛନ୍ତି ଯେ ୫୭୪୪୨ ଅଭିଯୋଗ ପତ୍ର ଗ୍ରହଣ କରିବା ପାଇଁ ହେଲିକପ୍ଟର ବ୍ୟବହାର ହୋଇଥିଲା । ସାଢେ ତିନି ବର୍ଷରେ ୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମାସକୁ ଏକ କୋଟିରୁ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ସେ କହିଛନ୍ତି ଯେ ବିରୋଧି ଆଣିଥିବା ଅଭିଯୋଗ ସମ୍ପୂର୍ଣ ମିଥ୍ୟା, ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରାଯାଉଛି । ବିରୋଧୀ ଖୁସି ହେବା ଦରକାର ସେମାନଙ୍କ ଅଂଚଳର ଅନେକ ସମସ୍ୟା ର ସମାଧାନ ହୋଇଛି । ମୁଁ ବୁଝି ପାରୁନାହିଁ, ଲୋକଙ୍କ ସମସ୍ୟାର ସମାଧାନ ହେଉଥିବା ବେଳେ ଏହାକୁ କାହିଁକି ବିରୋଧ କରାଯାଉଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିରୋଧୀଙ୍କ ଏହି ଜନ ବିରୋଧୀ କାର୍ଯ୍ୟର ଲୋକେ ଉଚିତ ଜବାବ ଦେବେ । ବିରୋଧୀ ରାଜନୈତିକ ଉଦେଶ୍ୟ ରଖି ବିରୋଧ କରୁଛନ୍ତି ।
ଅନ୍ୟ ପକ୍ଷରେ ବିରୋଧୀ ଦଳର ବିଧାୟକ ମାନେ ହଟ୍ଟଗୋଳ ଜାରୀ ରଖିଥିବା କାରଣରୁ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ ।