ବଲାଙ୍ଗୀର : ପ୍ରାଥମକ ଶିକ୍ଷକଙ୍କ ଦାବି ଯୁକ୍ତିଯୁକ୍ତ ଅଟେ । ମୁଁ ଏବଂ ମୋ ଦଳ ଏହାକୁ ସମ୍ପୁର୍ଣ୍ଣ ଭାବେ ସମର୍ଥନ କରୁଛି । ରାଜ୍ୟ ସରକାର ଗୋଟିଏ ପଟେ କହୁଛନ୍ତି ପ୍ରତ୍ୟେକ କ୍ଷେତ୍ରରେ ଠିକା ନିଯୁକ୍ତି ବନ୍ଦ କରିବେ କିନ୍ତୁ ନିଜ କଥାକୁ ନିଜେ ପୁଣି ଫେରାଇ ନେଇ ଶିକ୍ଷକ କ୍ଷେତ୍ରରେ ଠିକା ନିଯୁକ୍ତି ଚାଲୁ ରଖିଛନ୍ତି । କେବଳ ଏତିକି ନୁହେଁ ତାଙ୍କ ଗ୍ରେଡ୍ ପେ ରେ ବୃଦ୍ଧି ଏବଂ ପୁରୁଣା ପେନସନ ନୀତି ଚାଲୁ ରଖିବା ଦାବିରେ ସାରା ରାଜ୍ୟରେ ଲକ୍ଷାଧିକ ଶିକ୍ଷକ ଗତ ୮ ତାରିଖରୁ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଦାବି ଗୁଡିକୁ ସରକାର ଯଦି ପୁରଣ ନ କରିବେ ତେବେ ବିଧାନସଭାରେ ଶିକ୍ଷକଙ୍କ ନ୍ୟାର୍ଯ୍ୟ ଦାବିକୁ ନେଇ ବିଧାନସଭା ହୁଲସ୍ତୁଲ କରାଯିବ ବୋଲି ଶିକ୍ଷକଙ୍କ ଗଣଧାରଣାରେ ଯୋଗଦେଇ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶିକ୍ଷା ହିଁ ସମାଜର ଅର୍ଥନୀତିକୁ ସୁଦୃଢ କରିଥାଏ, କିନ୍ତୁ ଦେଖାଦେଉଛି ଏହି ସରକାର ଦୀର୍ଘ ସମୟ ଧରି ଶାସନରେ ଥିଲେ ହେଁ ଶିକ୍ଷକମାନଙ୍କର ସ୍ଥିତି ଦୋହଲିବାରେ ଲାଗିଛି । ସ୍କୁଲ ଭିତ୍ତିଭୂମି ସାଙ୍ଗକୁ ଏପରି ଅନେକ ସ୍କୁଲ ଅଛି ଯେଉଁ ଠାରେ ଶିକ୍ଷକ ନାହାନ୍ତି । ଶିକ୍ଷକ ଥିଲେ ଅନ୍ୟାନ୍ୟ କର୍ମଚାରୀ ନାହାନ୍ତି । ପ୍ରାୟତଃ ରାଜ୍ୟର ସମସ୍ତ ସରକାରୀ ସ୍କୁଲ ଏବେ ବନ୍ଦ ପଡି ରହିଛି । ଏହା ସରକାରଙ୍କର ଏକ ସୁଚିନ୍ତିତ ଷଡଯନ୍ତ୍ର । ଏହାକୁ ନେଇ ଶିକ୍ଷକ ସମାଜ ସଚେତନ ରୁହନ୍ତୁ, ବିଧାନସଭାରେ ନିଶ୍ଚିତ ଲଢେଇ ହେବ ଆପଣମାନେ ବାହାରେ ଆପଣଙ୍କ ଆନ୍ଦୋଳନକୁ ଜାରି ରଖନ୍ତୁ । ଗୋଟିଏ ଶିକ୍ଷାନୀତିରେ ୫ ପ୍ରକାର ଶିକ୍ଷକ, ୫ ପ୍ରକାର ଦରମାକୁ ଆଉ ବରଦାସ୍ତ କରାଯିବ ନାହିଁ । ଏହି ଆନ୍ଦୋଳନରେ ଅଭିଭାବକ ତଥା ସାଧାରଣ ଜନତାଙ୍କୁ ସାମିଲ କରନ୍ତୁ ଦେଖିବେ ଆପଣଙ୍କ ନ୍ୟାର୍ଯ୍ୟ ଦାବିକୁ ନିଶ୍ଚିତ ଭାବରେ ସରକାର ମାନିବେ ବୋଲି ସେ କହିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ, ସାରା ରାଜ୍ୟର ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ଗତ ୮ ତାରିଖରୁ ତାଙ୍କ ତିନି ଦଫା ଦାବିକୁ ନେଇ ଆନ୍ଦୋଳନ କରୁଥିଲେ ହେଁ ସରକାର ତାଙ୍କ ଦାବିକୁ ନେଇ କର୍ଣ୍ଣପାତ କରୁନାହିଁ । ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ସ୍କୁଲ ବନ୍ଦ ପଡି ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି । ଯଦି ଏପରି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସ୍ଥାଣୁ ହୋଇ ପଡିରହେ ତେବେ ସମାଜର ସ୍ଥିତି ସମ୍ମୁର୍ଣ୍ଣ ଭାବେ ଭୁଷୁଡି ପଡିବ । ତେଣୁ ଯେତେ ଶିଘ୍ର ହେବ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପ୍ରାଥମିକ ଶିକ୍ଷକଙ୍କ ନ୍ୟାର୍ଯ୍ୟ ଦାବି ମାନିନେବା ଉଚିତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।