ଡେରାଡୁନ : ଉତରାଖଣ୍ଡରେ ଲଗାଣ ବର୍ଷା ଜାରୀ ରହିଛି । ପାର୍ବତ୍ୟାଚଂଳ ଜନବସତିରେ ଭୂସ୍ଖଳନ ଏବଂ ପାହାଡ଼ ଧସିବା ଘଟଣାକୁ ନେଇ ଲୋକଙ୍କ ଉପରେ ସଙ୍କଟ ପଡିଛି । ପାହାଡ଼ ଧସି ରାସ୍ତାରେ ପଥରଖଣ୍ଡ ଓ ମାଟି ଜମି ରହିବା ଫଳରେ ୪ଟି ଜାତୀୟ ରାଜପଥ ସମେତ ୨୧୪ ଅନ୍ୟ ସଡ଼କ ପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାଜ୍ୟବାସୀଙ୍କୁ ଏବେ ବର୍ଷାରୁ ଆଶ୍ଵସ୍ତି ମିଳିବନି । କାରଣ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ୨୬ ଅଗଷ୍ଟ ପର୍ଯ୍ୟନ୍ତ ରେଡ୍, ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ବିଭାଗ ଏବଂ ଜିଲ୍ଲା ଅଧିକାରୀ ନିଜ ନିଜ ଜିଲ୍ଲାରେ ଆଲର୍ଟ ଅଛନ୍ତି । ଡେରାଡୁନ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ରହି ରହି ବର୍ଷା ଜାରୀ ରହିଛି । ଆକାଶ ଘନ ମେଘୁଆ ରହିଛି । ହରିଦ୍ଵାରରେ ଗଙ୍ଗାନଦୀର ଜଳସ୍ତର ବୃଦ୍ଧି ପାଇ ୨୯୨.୧୦ ମିଟରରେ ପ୍ରବାହିତ ହେଉଛି ।
ମୁଖ୍ୟ ଶିକ୍ଷା ଅଧିକାରୀ ଡେରାଡୁନର ପାଣିପାଗକୁ ଦୃଷ୍ଟିରେ ରଖି ଉପଖଣ୍ଡ ଶିକ୍ଷା ଅଧିକାରୀ ମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏସଡିଆରଏଫ ରେସକ୍ୟୁ ଟିମ୍ ର ଇନଚାର୍ଜ ରାବତ କହିଛନ୍ତି ଯେ, ଟିହରୀ ଜିଲ୍ଲାର ଚମ୍ବା ଟ୍ୟାକ୍ସି ପାର୍କିଂରେ ସୋମବାର ଘଟିଥିବା ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ମୃତକ ମାନଙ୍କ ମଧ୍ୟରେ ୨ ଜଣ ପୁରୁଷ, ୨ ଜଣ ମହିଳା ଏବଂ ଏକ ଶିଶୁ ରହିଛି । ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।