ଗଂଗଟୋକ, ୧୩ ଜୁନ୍- ସିକ୍କିମର ବିଭିନ୍ନ ଅଂଚଳରେ ଲଗାତାର ଭୀଷଣ ବର୍ଷା ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ସିକ୍କିମର ଉତର ଭାଗରେ ବୁଧବାର ରାତିରୁ ଜାରି ରହିଥିବା ମୂଷଳ ଧାରାରେ ବର୍ଷା ଯୋଗୁଁ ମଙ୍ଗନ ଏବଂ ଜାଙ୍ଗୁ ଅଂଚଳରେ ବ୍ୟାପକ ଧନ ଜୀବନ ହାନି ଘଟିଛି ।
ସୂଚନା ମୁତାବକ, ଅମ୍ବିଥାଙ୍ଗ ଏବଂ ପାକସେପରେ ଭୀଷଣ ବର୍ଷା ଯୋଗୁଁ ହୋଇଥିବା ଭୂ-ସ୍ଖଳନରେ ପ୍ରାୟ ୫ ଜଣ ଭାସି ଯାଇଛନ୍ତି । ଯେତେବେଳେ କି ଜଣକର ଶବ ଜବତ ହୋଇଛି । ଜାଙ୍ଗୁ ଓ ନାମପଥାଙ୍ଗରେ ଭୂ-ସ୍ଖଳନରେ କେତେକ ଘର କ୍ଷତିଗ୍ରସ୍ତ ହୋଇଛି । ଭୂ-ସ୍ଖଳନ ଯୋଗୁଁ କେତେକ ସଡ଼କ ପଥ କ୍ଷତିଗ୍ରସ୍ତ ହୋଇଛି । ଯଦ୍ଵାରା ଯାତାୟାତ ବାଧାପ୍ରାପ୍ତ ହୋଇଛି । ସାଂକଲାଂଗରେ ପୋଲ କ୍ଷତିଗ୍ରସ୍ତ ହୋଇଛି । ବିଦ୍ୟୁତ ସେବା ଓ ମୋବାଇଲ୍ ନେଟୱାର୍କ ପ୍ରଭାବିତ ହୋଇଛି । ଜିଲ୍ଲା ପ୍ରଶାସନ ଓ ସମ୍ବନ୍ଧିତ ବିଭାଗ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ, ଭୂ-ସ୍ଖଳନ ଯୋଗୁଁ ଉତର ସିକ୍କିମ ର ବିଭିନ୍ନ ଭାଗରେ ଧନ ଜୀବନ ହାନି ଘଟିଛି । ଉତର ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ ଏବଂ ସମ୍ବନ୍ଧିତ ଏଜେନ୍ସୀ ଗୁଡିକ ସହିତ ଯୋଗାଯୋଗ କରି ତ୍ଵରିତ ଓ ବ୍ୟାପକ ପ୍ରତିକ୍ରିୟା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାର ପୀଡ଼ିତ ପରିବାର ମାନଙ୍କ ସହିତ ଅଛନ୍ତି । ଜୁନ୍ ୧୦ ତାରିଖରେ ଭୂ-ସ୍ଖଳନରେ ୩ ଜଣ ପ୍ରାଣ ହରାଇଥିଲେ ।