ଚଣ୍ଡୀଗଡ : ଧୀରେ ଧୀରେ ସ୍ୱାଭାବିକ ହେଉଛି ନୁହ ସ୍ଥିତି । ହରିୟାଣାର ନୁହରେ ଫେରୁଛି ଶାନ୍ତି । ୧୩ ଦିନ ପରେ ଦିନ ବେଳା କର୍ଫ୍ୟୁ ହଟାଯାଇଥିବା ବେଳେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହୋଇଛି । ନୁହରେ ଗତ ୩୧ ଜୁଲାଇରେ ହୋଇଥିବା ହିଂସା ପରେ ସୋମବାର ପ୍ରଶାସନ ପକ୍ଷରୁ ଦିନ ବେଳା କର୍ଫ୍ୟୁ ହଟାଇ ଦିଆଯାଇଛି । ଅନ୍ୟ ଜିଲ୍ଲା ପରି ନୁହରେ ମଧ୍ୟ ସ୍ୱାଧୀନତା ଦିବସ ସମାରୋହ ଆୟୋଜନ କରାଯିବ । ହରିୟାଣାର ପରିବହନ ମନ୍ତ୍ରୀ ମୂଲଚନ୍ଦ ଶର୍ମା ନୁହରେ ପତାକା ଉତ୍ତୋଳନ କରିବେ ବୋଲି ସୂଚନା ମିଳିଛି ।
ଗତ ୩୧ ଜୁଲାଇରେ ନୁହରେ ହିଂସାକାଣ୍ଡ ଘଟିଥିଲା । ଏହାପରେ ପ୍ରଶାସନ ତରଫରୁ କର୍ଫ୍ୟୁ ଜାରି କରାଯାଇଥିଲା । ତେବେ ସ୍ୱାଧୀନତା ଦିବସ ପାଇଁ କର୍ଫ୍ୟୁ କୋହଳ କରାଯାଇଛି । ଏବେ ସକାଳ ୬ଟା ରୁ ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରଯାଇଛି । ସେହିପରି ଇଣ୍ଟରନେଟ୍ ସେବା ମଧ୍ୟ ସ୍ୱାଭାବିକ ହୋଇଛି । କର୍ଫ୍ୟୁ କୋହଳ ପରେ ବଜାରକୁ ଲୋକମାନେ ପୂର୍ବ ପରି ଆସୁଛନ୍ତି ।