ଭୁବନେଶ୍ୱର : ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଗୁରୁବାର ନିର୍ମାଣଧୀନ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ପୁରୁଣାପାଣି-ସୋନପୁର ରେଳ ସେକ୍ସନ ନିରୀକ୍ଷଣ କରି ବିଭିନ୍ନ ଭିତିଭୂମି କାର୍ଯ୍ୟ ସମ୍ପର୍କରେ କାର୍ଯ୍ୟରତ ଅଧିକାରୀ ମାନଙ୍କ ଠାରୁ ନିର୍ମାଣ କାର୍ଯ୍ୟ ପଚାରି ବୁଝିଛନ୍ତି । ତେଲ ନଦୀ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣଧୀନ ରେଳ ବ୍ରିଜ୍ ମଧ୍ୟ ଶର୍ମାଙ୍କ ଦ୍ୱାରା ଯାଂଚ କରାଯାଇଛି ।
ଯାଂଚ ସମୟରେ ଶର୍ମା ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ଶୀଘ୍ର ସମାପ୍ତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ପୁରୁଣାପାଣି ଏବଂ ସୋନପୁରରେ ନୂତନ ଷ୍ଟେସନ୍ ବିଲଡିଂ ଯାଂଚ କରି ଶର୍ମା ଯାତ୍ରୀମାନଙ୍କ ଆରାମ ପାଇଁ ବହୁ ଆବଶ୍ୟକ କରୁଥିବା ପରୀକ୍ଷେତ୍ର ଅଂଚଳ, କନକୋର୍ସ, ପ୍ଲାଟଫର୍ମ ଆଲୋକ, ପ୍ରତୀକ୍ଷା କକ୍ଷ, ଶୌଚାଳୟ ଇତ୍ୟାଦି ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ । ରେଳ ବ୍ୟବହାରକାରୀଙ୍କ ସୁବିଧା ପାଇଁ ସଡକ ସଂଯୋଗରେ ଉନ୍ନତି ଆଣିବା ପାଇଁ ମହାପ୍ରବନ୍ଧକ ମଧ୍ୟ ରାଜ୍ୟ ସରକାରୀ କର୍ମଚାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଶର୍ମା ମହାନଦୀର ଏକ ଉପନଦୀ ତେଲ ନଦୀ ଉପରେ ନିର୍ମାଣାଧୀନ ଅତି ଗୁରୁତ୍ୱପୂର୍ଣ୍ଣ ପୋଲକୁ ମଧ୍ୟ ନିରୀକ୍ଷଣ କରିଥିଲେ । ତେଲ ନଦୀର ପ୍ରାକୃତିକ ଜଳ ପ୍ରବାହ ବ୍ୟତୀତ ମହାନଦୀର ପଛୁଆ ଜଳ ତେଲ ନଦୀରେ ପ୍ରବେଶ କରୁଥିବାରୁ ଏହି ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ରେଳବାଇ ପାଇଁ ଏକ ଆହ୍ୱାନ ଅଟେ ।
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ୩୦୧ କିଲୋମିଟର ଦୈର୍ଘ୍ୟ ମଧ୍ୟରୁ ମୋଟ ୧୪୨.୫ କିଲୋମିଟର କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇଛି, ସେଥିମଧ୍ୟରୁ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ ପ୍ରାୟ ୧୦୫.୮ କିଲୋମିଟର ଏବଂ ବଲାଙ୍ଗୀରରୁ ଖମ୍ବେଶ୍ୱରପାଲି ପର୍ଯ୍ୟନ୍ତ ୩୬.୬ କିଲୋମିଟର ଦୂରତା ଅନ୍ତର୍ଭୁକ୍ତ । ୨୦୨୩-୨୪ ଆର୍ôଥକ ବର୍ଷରେ ଖମ୍ବେଶ୍ୱରପାଲି ଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ପ୍ରାୟ ୮୪ କିଲୋମିଟର ଦୈର୍ଘ୍ୟ ରେଳ ଲାଇନକୁ ସମ୍ପୂର୍ଣ୍ଣ କରିବାକୁ ପୂର୍ବତଟ ରେଳପଥ ଲକ୍ଷ୍ୟ ରଖିଛି ।
ନିରୀକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ପି ଶ୍ରୀନିବାସ, ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଭିନୀତ ସିଂ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।