ପୁରୀ : ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଝୁଲଣ ଯାତ ଅନୁଷ୍ଠିତ ହେବାକୁ ଯାଉଛି । ଶ୍ରୀ ମଣିମାଙ୍କ ଶ୍ରାବଣର ଝୁଲଣ କୁଞ୍ଜ ବେଶ ଓ ଲୀଳା, ଯଦ୍ୟପି ଏହା ମହାପ୍ରଭୁଙ୍କ ଦ୍ଵାଦଶ ଯାତ୍ରା ଅନ୍ତର୍ଭୁକ୍ତ ନୁହଁ ତଥାପି ଏହା ଏକ ଉପଯାତ୍ରା ରୂପେ ପାଳିତ ହୁଏ । ଶ୍ରୀ ମନ୍ଦିରର ମୁକ୍ତି ମଣ୍ଡପ ନିକଟରେ ଶ୍ରୀ ମହାପ୍ରଭୁଙ୍କ ଆଜ୍ଞା ପାଇ ଶ୍ରୀ ମଦନମୋହନ, ଶ୍ରୀ ଦେବୀ ଓ ଭୂ ଦେବୀ ଝୁଲଣରେ ବିଜେ ହୋଇ କୁଞ୍ଜ ଲୀଳା କରିଥାନ୍ତି । ଶ୍ରୀମନ୍ଦିର ବ୍ୟତିତ ଓ ଅନ୍ୟାନ୍ୟ ମଠ ମନ୍ଦିରରେ ମଧ୍ୟ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଗଜପତି ମହାରାଜା ଦିବ୍ୟସିଂହ ଦେବ (ଦ୍ଵିତୀୟ)ଙ୍କ ସମୟରେ ଏହା ଶ୍ରୀମନ୍ଦିରରେ ପ୍ରଥମେ ପାଳନ କରାଯାଇଥିଲା ଶ୍ରୀମନ୍ଦିରରେ ଗୌଡ଼ୀୟମାନଙ୍କ ପ୍ରଭାବ ସମ୍ପର୍କରେ ଏହି ଯାତ୍ରାସୂଚନା ଦେଉଛି । ଗୌଡ଼ୀୟ ସମ୍ପ୍ରଦାୟର ରାଧାକୃଷ୍ଣ ହେଉଛନ୍ତି ଉପାସ୍ୟ । ସେଥିପାଇଁ ଶ୍ରୀକୃଷ୍ଣ ଗୋପରେ ଥିବା ବେଳେ କରିଥିବା ରାସକୁ ସେମାନେ ଶ୍ରୀମନ୍ଦିରରେ ପ୍ରଚଳନ କରିଛନ୍ତି ।
ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଶ୍ରାବଣ ଶୁକ୍ଳ ଦଶମୀଠାରୁ ପ୍ରତିପଦ ଯାଏ ୭ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହି ନୀତି ପାଇଁ ଭଣ୍ଡାରରୁ ରୂପା ଗିନା ଆସେ । ଘଟୁଆରୀ ଚନ୍ଦନ ଆଣି ଯୋଗାନ୍ତି । ଭଣ୍ଡାର ମେକାପ ଅଳଙ୍କାର ଯୋଗାନ୍ତି । ମନ୍ଦିର କୋଠରୁ ମାଣ୍ଡୁଅ ଓ ଅନ୍ୟାନ୍ୟ ଜିନିଷ ମାନ ଯୋଗା ଯାଇଥାଏ ।ଏହି ନୀତି ପାଇଁ ପ୍ରାୟ ୧୫ ରୁ ଉର୍ଦ୍ଧ୍ଵ ସେବକଙ୍କର ଆବଶ୍ୟକତା ପଡିଥାଏ ।
ଆଜି ଝୁଲଣର ପ୍ରଥମ ଦିନ ଅର୍ଥାତ ଶ୍ରାବଣ ଶୁକ୍ଳ ଦଶମୀ ଦିନ ମଧ୍ୟାହ୍ନ ଧୂପ ବଢ଼ିବା ପରେ ଭିତର ଗମ୍ଭୀରରେ ପାଣି ପଡି ଧୁଆ ଯିବା ପରେ ଖୁଂଟିଆ ପୁଷ୍ପାଳକଙ୍କୁ ଡାକିଥାନ୍ତି । ଏହି ସମୟରେ ଗରାବଡୁ ସେବକଙ୍କ ଠାରୁ ହାତୁଆଣୀ ନେଇ ପୁଷ୍ପାଳକ ସେବକମାନେ ଶ୍ରୀ ଜୀଉମାନଙ୍କ ମଇଲମ କରିଥାନ୍ତି । ପାଳିଆ ମେକାପ ତିନୋଟି ରୂପା ଗିନାରେ ଘଟୁଆରୀ ସେବକ ଦେଇଥିବା ଚନ୍ଦନକୁ ନେଇ ପାଳିଆ ପୁଷ୍ପାଳକଙ୍କୁ ବଢ଼ାଇଥାନ୍ତି । ତିନି ବାଡ଼ରେ ସର୍ବାଙ୍ଗ ଚନ୍ଦନ ଲାଗି କଲାପରେ ଶ୍ରୀଜୀଉମାନଙ୍କ ବେଶ ବଢିଥାଏ । ଏହି ଦିନ ଏହି ସମୟରେ ସେବକମାନେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଦକ୍ଷିଣୀ ଘର ପ୍ରାଙ୍ଗଣରେ ଖଟଶେଜ ମେକାପ ପକାଇଥିବା ଶେଜ ଉପରେ ବିଜେ କରାନ୍ତି ଓ ଦକ୍ଷିଣୀ ଘରୁ ମଦନମୋହନଙ୍କୁ ଆଣି ଏହାଙ୍କ ବିଜେ କରାନ୍ତି । ଏହିଠାରେ ତିନି ଦିଅଁଙ୍କ ବେଶ ମହାଜନ ସେବାୟତ କରିଥାନ୍ତି । ଏହାପରେ ପୂଜାପଣ୍ଡା ସେବକ ତିନି ଗୋଟି ସରାରେ ତିନି ଗୋଟି ମାଣ୍ଡୁଅ ସର୍ପାମଣୋହି ପୂର୍ବକ ଭୋଗ କରିଥାନ୍ତି । ଏହାପରେ ଦକ୍ଷିଣୀ ଘରେ ବିରାଜିତ ସମସ୍ତ ଚଳନ୍ତି ପ୍ରତିମାଙ୍କ ଭୋଗ ହୋଇଥାଏ । ତତ୍ପରେ ଛାମୁ ଦିହୁଡ଼ି ସହ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ରତ୍ନସିଂହାସନ ବିଜେ କରିଥାନ୍ତି । ସେଠାରେ ପୁଷ୍ପାଳକ ସେବକମାନେ ତିନି ବାଡ଼ରେ କର୍ପୁର ଲାଗି କରିବା ପରେ ସିଂହାସନରୁ ଓହ୍ଲାଇ ତିନି ବାଡ଼ରେ ସାନ୍ଧ୍ୟ ଆଳତି କରିଥାନ୍ତି । ଏହାପରେ ଜନୈକ ପୂଜାପଣ୍ଡା ସେବକ ହାତୁଆଣି ନେଇ ମହାପ୍ରଭୁଙ୍କ ଦକ୍ଷିଣ ଭୁଜରୁ ଆଜ୍ଞାମାଳ ନେଇ ଶ୍ରୀ ମଦନମୋହନଙ୍କୁ ଓ ଉତର ଭୁଜର ଦୁଇ ଆଜ୍ଞାମାଳ ଭୂଦେବୀ ଓ ଶ୍ରୀଦେବୀଙ୍କୁ ଲାଗି କରିଥାନ୍ତି । ତତ୍ପରେ ଛାମୁ ଦିହୁଡ଼ି ସହ ମହାଜନ ସେବକମାନେ ତିନି ଚଳନ୍ତି ପ୍ରତିମାଙ୍କୁ ହସ୍ତରେ ବିଜେ କରାଇ ଜଗମୋହନ, ବଟ ଦ୍ଵାର ଦେଇ ଝୁଲଣ ମଣ୍ଡପ ଦୋଳି ଉପରେ ବିଜେ କରାନ୍ତି । ଏଠାରେ ବିଡ଼ିଆ ମଣୋହି ହୋଇଥାଏ । ଭିତରେ ସନ୍ଧ୍ୟଧୂପ ବଢ଼ିବା ପରେ ଝୁଲଣ ମଣ୍ଡପରେ ସୁଦୁ ସୁଆର ପାଣି ପକାଇବା ପରେ ଆସ୍ଥାନ ପ୍ରତିହାରୀ ଟେରା ବାନ୍ଧି ଶୀତଳ ଭୋଗ ପୂଜା ଠା କରିଥାନ୍ତି । ତତ୍ପରେ ପାଳିଆ ପୂଜାପଣ୍ଡା ଆସି ପଂଚ ଉପଚାରରେ ପୂଜା କରିଥାନ୍ତି । ଭୋଗ ଶେଷ ହେବା ପରେ ମୁଦିରସ୍ତ ବନ୍ଦାପନା ନୀତି ବଢ଼ାଇଥାନ୍ତି ।
ରତ୍ନସିଂହାସନରେ ଶ୍ରୀଜୀଉଙ୍କ ଚନ୍ଦନ ଲାଗି ନୀତି ସରିବା ପରେ ଝୁଲଣ କୁଞ୍ଜରେ ମହାଜନ ମାନେ ମଇଲମ କରି ଶ୍ରୀ ମଦନମୋହନଙ୍କୁ ଦକ୍ଷିଣୀ ଘର ଓ ଶ୍ରୀଦେବୀ, ଭୂଦେବୀଙ୍କୁ ରତ୍ନସିଂହାସନ ବିଜେ କରାଇଥାନ୍ତି । ଏହିପରି ଭାବେ ୭ ଦିନ ବ୍ୟାପି ଝୁଲଣ ଯାତ୍ରା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ ।