ମାଲକାନଗିରି : ଆନନ୍ଦମାର୍ଗ ୟୁନିଭର୍ସଲ ରିଲିଫ ଟିମ ପକ୍ଷରୁ ଗତକାଲି ଆଦିବାସୀ ବସ୍ତିରେ ମାଗଣା ସ୍ଵାସ୍ଥ୍ୟଶିବିର ସହିତ ଆଧ୍ୟାତ୍ମିକ ସଭା ଓ ମାଲକାନଗିରି ଜିଲ୍ଲା ଶାଖା ଆନନ୍ଦ ମାର୍ଗ ଯୋଗାଶ୍ରମ ସ୍କୁଲ ନୂତନ ଗୃହ ପ୍ରବେଶ ଉତ୍ସଵ ପାଳିତ ହୋଇଯାଇଛି।
ମାଲକାନଗିରି ଜିଲ୍ଲା ସଦର ମହକୁମା ନୂଆଗୁଡା ଆଦିବାସୀ ବସ୍ତିରେ ଆନନ୍ଦମାର୍ଗ ୟୁନିଭର୍ସଲ ରିଲିଫ ଟିମ ର ଆଚାର୍ଯ୍ୟ ପରିପୂର୍ଣ୍ଣାନନ୍ଦ ଅବଧୂତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଧ୍ୟାତ୍ମିକ ସଭାରେ ମୁଖ୍ୟ ଅତିଥି ଭାବେ ପୌରପରିଷଦ ନିର୍ବାହି ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଆଚାର୍ଯ୍ୟ ପରିଵୋଧା ନନ୍ଦ, ସମ୍ମାନିତ ଅତିଥି ଭାବେ ପୌରପରିଷଦ ଅଧକ୍ଷ ମନୋଜ କୁମାର ବାରିକ, ଆଚାର୍ଯ୍ୟ ଦେବରଂଜନାନନ୍ଦ ଅବଧୂତ, ବନବାସୀ ଗବେଷକ ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ, ଡେପୁଟି କଲେକ୍ଟର ପ୍ରମୋଦ କୁମାର ବେହେରା, ଜିଲ୍ଲା ବଣିକ ସଂଘ ସଭାପତି ବିଶିଷ୍ଟ ସମାଜ ସେବୀ ସୁରେଶ କୁମାର ସୋମାନୀ ଓ ନୂଆଗୁଡା ଚର୍ଚ୍ଚ ର ପାଷ୍ଟର ମୁନି, କାଉନସିଲର ପ୍ରମୁଖ ଉପସ୍ଥିତ ରହି ସଦାସର୍ଵଦା ମନକୁ ଆନନ୍ଦିତ ରଖିବା ସହିତ ସ୍ଵାସ୍ଥ୍ୟ ହିଁ ସମ୍ପଦ ତେଣୁ ସୁସ୍ଥ ସମାଜ ଗଠନ ପ୍ରତି ଗୁରୁତ୍ଵାରୋପ କରିଥିଲେ। ସର୍ବପ୍ରଥମେ କୋରାପୁଟ ସରକାରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ. ଜୟନ୍ତ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଅତିଥିମାନେ ପ୍ରଥମେ ମୁଖ୍ୟ ଆନନ୍ଦ ମାର୍ଗ ଆଶ୍ରମର ପ୍ରତିଷ୍ଠାତା ମହାପୁରୁଷ ଆନନ୍ଦମୂର୍ତିଜୀଙ୍କ ଫଟୋରେ ମାଲ୍ୟର୍ପଣ ଓ ପ୍ରଦୀପ ପ୍ରଜ୍ଵଳନ କରି ନୂତନ ଆଶ୍ରମ ଗୃହକୁ ପ୍ରବେଶ କରିବା ସହିତ ସ୍ଵାସ୍ଥ୍ୟ ଶିବିରର ଉଦ୍ଘାଟନ କରିଥିଲେ।
ଏହି ଅବସରରେ ନୂଆଗୁଡା ବସ୍ତିରେ ଆୟୁର୍ବେଦିକ ମାଗଣା ସ୍ଵାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରରେ ବସ୍ତି ର ଶତାଧିକ ମହିଳା ପୁରୁଷ, ପିଲା ମାନେ ନିଜର ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ। ଆୟୁଷ ଡାକ୍ତର ଦେଵବ୍ରତ ସାହୁ ଓ ଡାକ୍ତର କଲ୍ୟାଣ ଗୁରୁ ରୋଗୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷାକରି ମାଗଣାରେ ସେମାନଙ୍କୁ ଔଷଧ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆଓମା ଗୁରୁକୂଳର ପ୍ରତିଷ୍ଠାତା ଆଜୀବନ ବ୍ରହ୍ମଚାରୀ ଓ ଆଶ୍ରମର ସଂରକ୍ଷକ ବିନାଶ କୁମାର ମିଶ୍ର ଅତିଥି ପରିଚୟ ସହିତ ମଞ୍ଚପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ନୂଆଗୁଡା ବସ୍ତି ସହିତ ଆଖପାଖ ଅଞ୍ଚଳର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ । ସର୍ଵ ଶେଷରେ ଆଶ୍ରମ କମିଟି ର ସମ୍ପାଦକ ଗଣେଶ କଚିମ ଧନ୍ୟବାଦ ଅର୍ପଣ କରିଥିଲେ।