ଭୁବନେଶ୍ୱର : ରାଜ୍ୟର ଜନଜାତି କୃଷକମାନଙ୍କ ଦ୍ୱାରା ସଂରକ୍ଷିତ ମାଣ୍ଡିଆର ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟର ମାନ୍ୟତା ହାସଲ କରିଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ କ୍ରମେ କୃଷି ଓ କୃଷକ ଶସକ୍ତି କରଣ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କୁନ୍ଦ୍ରାବାଟି, ଲକ୍ଷ୍ମୀପୁର କାଳିଆ, ମାଲ୍ୟବନ୍ତ ମାମି ଏବଂ ଗୁପ୍ତେଶ୍ୱର ଭାରତୀ ଆଦି ୪ ଟି ଭୁ-ପ୍ରଜାତିକୁ ବିହନ ପ୍ରଣାଳୀ ଅଧିନରେ ଜାରି କରାଯାଇଛି । ପ୍ରଥମଥର ପାଇଁ କୃଷକ ମାନଙ୍କ ଚାହିଦା ଅନୁଯାୟୀ ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ଜାରି କରାଯାଇଛି ବୋଲି ମନ୍ତ୍ରୀ ସ୍ୱାଇଁ କହିଛନ୍ତି ।
ଉପଯୁକ୍ତ ବୈଜ୍ଞାନିକ ପଦ୍ଧତି ଏବଂ ପାରମ୍ପାରିକ ଜ୍ଞାନ କୌଶଳର ମିଶ୍ରଣରେ ମାଣ୍ଡିଆ ଭୂ-ପ୍ରଜାତି ବିକଶିତ ହେବା ଫଳରେ କୃଷି ଜୈବିକ ବିବିଧତାର ମୂଳାଧାରରେ ଦୃଷ୍ଟାନ୍ତମୂଳକ ପରିବର୍ତନ ଆସିପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଓଡ଼ିଶା ମିଲେଟ ମିଶନର ଏହି ସଫଳତା ପୁଷ୍ଟିଶସ୍ୟ ମାଣ୍ଡିଆର ବ୍ୟାପକ ପ୍ରସାର ଦିଗରେ ସହାୟକ ହେବ ଏବଂ ଏହାଦ୍ୱାରା ଜନଜାତି କୃଷକ, କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏବଂ ଅନ୍ୟ ଅଂଶୀଦାରମାନେ ବହୁଳ ଭାବରେ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏହି ଚାରିଗୋଟି ଭୂ-ପ୍ରଜାତିର ମାଣ୍ଡିଆ ବିହନ କୋରାପୁଟ ଓ ମାଲକାନଗିରି ଜିଲ୍ଲାପାଇଁ ଜାରି କରାଯାଇଥିବା ବେଳେ ଏହାର ସଫଳ ପ୍ରୟୋଗ ଏବଂ କୃଷକ ମାନଙ୍କ ଦ୍ୱାରା ଗ୍ରହଣୀୟତାକୁ ଆଧାର କରି ଅନ୍ୟ ଜିଲ୍ଲାଗୁଡିକୁ ସଂପ୍ରସାରିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ଏଥିପାଇଁ ଆବଶ୍ୟକ ବୈଜ୍ଞାନିକ ତଥ୍ୟ ଉପଲବ୍ଧ ନିମନ୍ତେ ନିରନ୍ତର ପରୀକ୍ଷଣ କରାଯାଇଥିଲା । ଏହି ପ୍ରକ୍ର୍ରିୟାରେ ଅଂଶବିଶେଷ ଭାବରେ ଫସଲର ବିବିଧତା ଅନୁଯାୟୀ ଚାଷଜମିର ପ୍ରାମାଣିକ ଅବସ୍ଥିତି, କୃଷି କ୍ଷେତ୍ରର ସଂରକ୍ଷଣ, ଚାଷୀମାନଙ୍କର ପସନ୍ଦ ଓ ସେମାନଙ୍କର ଦୃଷ୍ଟିକୋଣ ଅନୁଯାୟୀ ବିହନମାନର ବିକାଶ ଆଦି କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୬୩ଟି ମାଣ୍ଡିଆ ଭୂ-ପ୍ରଜାତି ଚିହ୍ନଟ କରାଯାଇଥିଲା । ଏଥି ମଧ୍ୟରୁ ୧୪ଟି ଭୂ-ପ୍ରଜାତିର ଉତମ ପ୍ରଦର୍ଶନର ସମ୍ଭାବନା ଲକ୍ଷ୍ୟ କରଯାଇଥିଲା । ପରବର୍ତି ପର୍ଯ୍ୟାୟରେ ଉପରୋକ୍ତ ୪ଟି ଭୂ-ପ୍ରଜାତିକୁ ବିହନ ପ୍ରଣାଳୀ ଅଧିନରେ ଜାରି କରାଯିବା ନିମନ୍ତେ ଗଠିତ ଲ୍ୟାଣ୍ଡରେସ ଭେରାଇଟି ରିଲିଜ କମିଟି ସୁପାରିଶ କରିଥିଲେ ।
ପାରମ୍ପାରିକ ମାଣ୍ଡିଆ ଭୂ-ପ୍ରଜାତିର କିସମ ସ୍ଥାନୀୟ ମୃତିକା ଓ ଜଳବାୟୁ ଅନୁକୂଳ ହୋଇଯାଇଛି । ଏହି କିସମ ରୋଗପୋକ ଏବଂ ଜଳବାୟୁ ପରିବର୍ତନ ପ୍ରତି ମଧ୍ୟ ସହନଶୀଳ ଅଟନ୍ତି । ଏହି ପାରମ୍ପାରିକ ଭୂ-ପ୍ରଜାତି ଗୁଡିକ ଜୈବିକ କୃଷି କ୍ଷେତ୍ରରେ ଉତମ ପ୍ରଦର୍ଶନ କରୁଛନ୍ତି । ଜନଜାତି ସଂପ୍ରଦାୟର ମାଣ୍ଡିଆ ଆଦି କିସମର ସଂରକ୍ଷଣ ଦିଗରେ ଏକ ସମୃଦ୍ଧ ଐତିହ୍ୟ ରହିଛି । ଓଡ଼ିଶାର ଜନଜାତି ସଂପ୍ରଦାୟର କୃଷକମାନେ ଅନାଦିକାଳରୁ ବିଭିନ୍ନ ମାଣ୍ଡିଆ କିସମର ସଂରକ୍ଷକ ଭାବରେ ବିବେଚିତ ହୋଇ ଆସୁଅଛନ୍ତି ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସରାକାରଙ୍କ କୃଷକ ଓ କୃଷକ ସଶକ୍ତି କରଣ ବିଭାଗ, ଓଡ଼ିଶା ମିଲେଟ ମିଶନ ମାଧ୍ୟମରେ ଏହିସବୁ ଭୂ-ପ୍ରଜାତି ନିମନ୍ତେ ମାନକ ସଂଚାଳନ ପ୍ରକ୍ର୍ରି୍ର୍ରୟା ବିକଶିତ କରିଛନ୍ତି । ଏହି ପଦ୍ଧତି ଆଇସିଏଆର, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ବୈଷୟିକ ବିଶେଷଜ୍ଞ, କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ଜନଜାତି କୃଷକମାନଙ୍କ ଭାଗୀଦାରିତା ଓ ପରାମର୍ଶ ଅନୁସାରେ ବିକଶିତ କରାଯାଇଛି । ମାର୍ଗଦର୍ଶିକା ପ୍ରସ୍ତୁତ ସମୟରେ ବୈଜ୍ଞାନିକ ମାନଦଣ୍ଡ ସମେତ ମାଣ୍ଡିଆର ଉପକାରିତା, ସ୍ୱାଦ, ପୌଷ୍ଟିକ ଗୁଣବତା, ଜଳବାୟୁ ସହନଶୀଳତା, ରୋଗପୋକ ସହନଶୀଳତା, ସାଂସ୍କୃତିକ ପସନ୍ଦ ଏବଂ ଅନ୍ୟାନ୍ୟ ବିଷୟ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି ।