ନୂଆଦିଲ୍ଲୀ : କେନ୍ଦ୍ର ସରକାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଚାରକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶୁକ୍ରବାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ।
ମିଳିଥିବା ସୂଚନା ଅନୁସାରେ, ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସଙ୍ଗ ଉପରେ ଗଠନ କରାଯାଇଥିବା ଏହି କମିଟି ଏ ସମ୍ବନ୍ଧରେ ବିଧେୟକ ଅଣାଯିବା ନେଇ ନିଜର ସୁପାରିଶ ଦେବ । ଏହା ପୂର୍ବରୁ ସଂସଦର ସ୍ଥାୟୀ କମିଟି, ଲ କମିଶନ ଏବଂ ନୀତି ଆୟୋଗ ଏହା ଉପରେ ବିଚାର କରି ନିଜର ରିପୋର୍ଟ ଦେଇ ସାରିଛି ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସାମ୍ବାଦିକ ମାନଙ୍କ ସହିତ କଥାବାର୍ତା ବେଳେ କହିଛନ୍ତି ଯେ, ଏବେ କେବଳ ଏକ କମିଟି ଗଠନ କରାଯାଇଛି । ଏହି କମିଟି ନିଜର ସୁପାରିଶ ଦେବ । ଏହାକୁ ଜନତାଙ୍କ ବିଚାର ପାଇଁ ରଖାଯିବ । ସମ୍ଭବ ହେବ ତ ଏ ବାବଦରେ ସଂସଦ ବିଚାର କରିବ । ଦେଶରେ ୧୯୬୭ ପର୍ଯ୍ୟନ୍ତ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକ ସଙ୍ଗେ ହୋଇ ଆସୁଥିଲା । ଏହାଦ୍ଵାରା ସମ୍ବଳର ମଧ୍ୟ ସଂଚୟ ହୋଇଥାଏ ଏବଂ ସରକାରଙ୍କୁ ମଧ୍ୟ ଠିକ୍ ଭାବେ କାମ କରିବାର ଅବସର ମିଳିଥାଏ ।
ଏଠାରେ ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ୧୮ ସେପ୍ଟେମ୍ବରରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସଂସଦର ଏକ ବିଶେଷ ଅଧିବେଶନ ଡକାଇଛନ୍ତି । ଏହାର ଏଜେଣ୍ଡା ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।
ବିଶେଷ ଅଧିବେଶନର ଏଜେଣ୍ଡା ସମ୍ପର୍କରେ ପଚାରିବାରେ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ଆଗାମୀ ୩ରୁ ୪ ଦିନ ମଧ୍ୟରେ ଏହାକୁ ନେଇ ସ୍ଥିତି ସ୍ପଷ୍ଟ କରାଯିବ ।