ଭୁବନେଶ୍ୱର, 2 ସେପ୍ଟେମ୍ବର (ହି.ସ.) ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । । ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ଥିବା ବେଳେ ଆଜି ସନ୍ଧ୍ୟା ୭ଟା ୩୧ରେ ଦେହାନ୍ତ ହୋଇଥିବା ନେଅ ତାଙ୍କ ପରିବାର ବର୍ଗ ପକ୍ଷରୁ ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ ସୂର୍ଯ୍ୟ ପାତ୍ର ଆଜି ସନ୍ଧ୍ୟାରେ ଅଚାନକ ଗୁରୁତର ହୋଇଥିଲେ। ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ସେ ସାତ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଗଂଜାମ ଜିଲ୍ଲା ଦିଗପହଣ୍ଡି ଓ ଗଜପତି ଜିଲ୍ଲା ମୋହନା ବିଧାନସଭା ଆସନରୁ ୭ ଥର ବିଧାୟକ ହୋଇଥିଲେ। ମୋହନାରୁ ୪ ଥର ଓ ଦିଗପହଣ୍ଡିରୁ ୩ ଥର ବିଧାୟକ ହୋଇଥିଲେ।
ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ଷୋଡ଼ଶ ବିଧାନସଭାରେ ସେ ୨୦୧୯ ଜୁନ୍ ୧ରୁ ୨୦୨୨ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ହୋଇଥିଲେ। ଗଂଜାମ ରାଜନୀତିରେ ସେ ଜଣେ ଚର୍ଚ୍ଚିତ ଚେହେରା ଥିଲେ। ତୃଣମୂଳ ସ୍ତରରେ ସେ ଜଣେ ଭଲ ସଂଗଠକ ଥିଲେ।