ଭୁବନେଶ୍ୱର : ଓଡିଶାରେ ଜଙ୍ଗଲ ଶାସନ ଚାଲିଛି । ଭିନ୍ନ ଭିନ୍ନ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ ଲାଗୁ ହେଉଛି । ବିଧାୟକଙ୍କ ଗାଡିକୁ ଅଣ୍ଡା ମାଡ ହେଲେ ବି ମାମଲା ରୁଜୁ ହେଉନାହିଁ । ଜଣେ ପ୍ରଶାସନିକ ଅଧିକାରୀ ଜନପ୍ରତିନିଧିଙ୍କୁ ଅପମାନ ଦେବା ଭଳି ଭାଷଣ ଦେଉଛନ୍ତି । ଏଭଳି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ମହିଳା କଂଗ୍ରେସ ।
ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଜିଲ୍ଲାକୁ ଯାଉ ନାହାଁନ୍ତି ବୋଲି ନିର୍ବାଚିତ ପ୍ରତିନିଧିଙ୍କୁ ଅପମାନ କରି ପ୍ରଶାସନିକ ଅଧିକାରୀ ଭାଷଣ ଦେଉଛନ୍ତି । ଗତକାଲି ଗଞ୍ଜାମରେ ବିଧାୟକଙ୍କୁ ଅଣ୍ଡା ମାଡ଼ ହୋଇଛି । କିନ୍ତୁ କିଛି ଦଫା ଲାଗିନାହିଁ । ମୁଖ୍ୟମନ୍ତ୍ରୀ ଙ୍କୁ ଅଣ୍ଡା ମାରିଲେ ୩୦୭ ଲାଗୁଛି ହେଲେ ବିଧାୟକଙ୍କୁ ଅଣ୍ଡା ମାରି ଗାଡି ଭାଙ୍ଗିଲେ ବି କାହାକୁ ଗିରଫ କରାଗଲା ନାହିଁ ବୋଲି ଶ୍ରୀମତୀ ପରିଡା ପ୍ରଶ୍ନ କରିଛନ୍ତି । ଅଣ୍ଡା ମାଡ ଅଭିଯୋଗରେ କଂଗ୍ରେସ କର୍ମୀଙ୍କ ଉପରେ ଯେଉଁ ଦଫା ଲାଗିଛି ଗଞ୍ଜାମରେ ଅଣ୍ଡା ମାଡ଼ କରିଥିବା ଲୋକଙ୍କୁ ସେହି ଦଫାରେ ଗିରଫ କରାଯାଉ । ଅନ୍ୟପକ୍ଷରେ ସଚିବଙ୍କ ବୈଠକକୁ କଣ ପାଇଁ ଛାତ୍ରଛାତ୍ରୀଙ୍କୁ ଅଣାଯାଉଛି ସରକାର ତାର ଉତର ରଖନ୍ତୁ । ମହିଳାମାନଙ୍କୁ ପଇସା ଦିଆଯାଇ ସଭାକୁ ଅଣାଯାୁଛି । ମାହାଙ୍ଗାରେ ଜଣେ ଛାତ୍ରୀଙ୍କୁ ମାରିଦେଲେ,ଅନୁଗୁଳରେ ଏଭଳି ସ୍ଥିତି ସୃଷ୍ଟି ହେଲା ଜଣେ ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କଲେ । ରାଜ୍ୟରେ ଯଦି ମହିଳା ହୋମଗାର୍ଡ ସୁରକ୍ଷିତ ନାହାଁନ୍ତି ,ସାଧାରଣ ମହିଳା କେତେ ସୁରକ୍ଷିତ ? ଯଦି ନବୀନ ବାବୁ ନିଜେ ଗୃହ ବିଭାଗ ସମ୍ଭାଳି ପାରୁ ନାହାଁନ୍ତି ଇସ୍ତଫା ଦିଅନ୍ତୁ । ୨୫ ବର୍ଷ ହେଲା ୫ -ଟି କେଉଁଠି ଥିଲେ ଏବେ ନିର୍ବାଚନ ପୂର୍ବରୁ ଉଭା ହୋଇ ଗଲେ । ସୀମା ଉଲଂଘନ କଲେ କଲେ ସାରା ରାଜ୍ୟ ରେ ତୀବ୍ରତର ବିରୋଧ ହେବ ବୋଲି ସେ କହିଛନ୍ତି ।