ଭୁବନେଶ୍ୱର ତା. ୬.୬- କଂଗ୍ରେସ ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି ଏକ ଆପତିଜନକ ପୋଷ୍ଟ “ଭାରତ ସିନେମା” ନାମକ ଏକ ମିଡିଆ ସଂସ୍ଥା ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରିବା ଘଟଣାକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱର ସ୍ଥିତ ସାଇବର ଥାନାରେ ଏତଲା ଦାୟର କରାଯାଇଛି । ଏହା ସହିତ ତୁରନ୍ତ ଏହି ମିଡିଆ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିନିଧି ଦଳ ଦାବି କରିଛନ୍ତି । ଏହି ପୋଷ୍ଟରେ ଉଲ୍ଲେଖ ରହିଛି ଯେ “କଂଗ୍ରେସ ଓଡ଼ିଶାରେ କେବେବି ଆସିବ ନାହିଁ, ରାହୁଲ ଗାନ୍ଧୀ ଓଡ଼ିଶା ଆସିଲେ ମୁଁ ନାଥୁରାମ ଗଡ଼ସେ ହେବି, ଫଟୋଚିତ୍ର ଦ୍ୱାରା ଦର୍ଶାଯାଇଛି ଯେ ଭାରତ ସିନେମା ପ୍ରତିନିଧିଙ୍କ ଲକ୍ଷ୍ୟ ରାହୁଲ ଗାନ୍ଧୀଙ୍କୁ ଗୁଳିରେ ବନ୍ଧୁକଦ୍ୱାରା ହତ୍ୟା କରିବି ଯେପରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ଗଡ଼ସେ ଗୁଳି ଦ୍ୱାରା ହତ୍ୟା କରିଥିଲେ” ।
ଏହି ପୋଷ୍ଟରେ ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେବା ଦେଖାଯାଇଛି । ଏହି ସଂସ୍ଥା କାହା ଦ୍ୱାରା ପରିଚାଳିତ ତତ୍ସହିତ ଏହି ଘଟଣାର ସତ୍ୟାସତ୍ୟ ଅନୁସଂଧାନ କରି ଉପରୋକ୍ତ ସଂସ୍ଥା ଓ ଏହା ପଛପଟରେ ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପିସିସି ପ୍ରତିନିଧି ଦଳ ଦାବୀ ଜଣାଇଛନ୍ତି । ଏହି ପ୍ରତିନିଧି ଦଳରେ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ, ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ ।