ଚମ୍ପୁଆ : କୋମଳମତି ଶିଶୁଙ୍କୁ ପ୍ରାକ ଶିକ୍ଷା ସହିତ ପୃଷ୍ଠିକର ଖାଦ୍ୟ ପ୍ରଦାନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଅଙ୍ଗନୱାଡି । ଉପଯୁକ୍ତ ପରିବେଶରେ ଶିକ୍ଷା ସହିତ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଗଢା ଯିବାକଥା ଶିଶୁଙ୍କ ଭବିଷ୍ୟତ । ମାତ୍ର ଅଧିକାରୀଙ୍କ ମନମାନି ଓ ଖାମଖିଆଲି ନିତି ଯୋଗୁଁ ବର୍ଷ ବର୍ଷ ଧରି ଗଛ ମୂଳେ ପାଠ ପଢୁଛନ୍ତି କୋମଳମତି ଶିଶୁ l ଏମାନଙ୍କୁ ଜାଣି ଜାଣି ଅଣଦେଖା କରାଯାଉଛି l ଚମ୍ପୁଆ ବ୍ଲକ କାର୍ଯ୍ୟାଳୟରେ ମିଳୁନାହିଁ ଉନ୍ନୟନ କାର୍ଯ୍ୟର ଫାଇଲ। ଯାହାରି ପାଇଁ ପାଞ୍ଚ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଅଧାପନ୍ତରିଆ ଭାବେ ପଡ଼ି ରହିଛି ଅଙ୍ଗନୱାଡ଼ି କେନ୍ଦ୍ର। ଘର ନ ଥିବାରୁ ପାଞ୍ଚ ବର୍ଷ ହେବ ଗଛ ମୂଳେ ପଢୁଛନ୍ତି କୁନି କୁନି ଛାତ୍ର ଛାତ୍ରୀ। ଶିଶୁ ଓ ମହିଳାଙ୍କ ପାଇଁ ମାଳ ମାଳ ଯୋଜନା ତଥା ରାଜ୍ୟର ସର୍ବାଙ୍ଗୀନ ବିକାଶର ଡିଣ୍ଡିମ ପିଟୁଥିବା ସରକାରଙ୍କ କେନ୍ଦୁଝର ଜିଲ୍ଲା, ଚମ୍ପୁଆ ବ୍ଲକର ସରକାରୀ କାର୍ଯ୍ୟାଳୟରୁ ଫାଇଲ ଗାଏବ ହେବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ଯାହା ଫଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଥିବା ଦେଖିବାକୁ ମିଳୁଛି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ୍ ସୁନାପଶି ପଞ୍ଚାୟତ ଇନ୍ଦ୍ରପ୍ରସ୍ଥ ଗ୍ରାମରେ। ୨୦୧୭ -୧୮ ଆର୍ଥିକ ବର୍ଷରେ ବ୍ଲକ୍ ଅନୁଦାନ ରେ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଇନ୍ଦ୍ରପ୍ରସ୍ଥ ଗ୍ରାମ ରେ ଏକ ଅଙ୍ଗନୱାଡ଼ି କେନ୍ଦ୍ର ର ନିର୍ମାଣ କାର୍ଯ୍ୟ ବିଭାଗୀୟ କାର୍ଯ୍ୟାଦେଶ ରେ ଆରମ୍ଭ କରାଯାଇଥିଲା l ସେତେବେଳେ ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ମଦନ ମୋହନ ବେହେରା ଙ୍କ ନାମରେ ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଗ୍ରାମର ଜନୈକ ବ୍ୟକ୍ତିଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ ଆରମ୍ଭ ହୋଇଥଲା। ତେବେ ନିର୍ମାଣ ଆରମ୍ଭ ହେବାର ପାଞ୍ଚ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ଅଙ୍ଗନୱାଡ଼ି କେନ୍ଦ୍ରଟି ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଏ ଯାଏଁ କେନ୍ଦ୍ରର ଛାତ ପଡ଼ି ପାରି ନ ଥିବା ବେଳେ ଅଙ୍ଗନୱାଡ଼ି କେନ୍ଦ୍ର ନ ଥିବାରୁ କୋମଳମତି କୁନି କୁନି ପିଲା ମାନେ ସମ୍ମୁଖ ରେ ଥିବା ଏକ ଗଛ ମୂଳେ ପାଲ ପକାଇ ଖରା ବର୍ଷା ରେ ପାଠ ପଢୁଥିବା ଦେଖିବାକୁ ମିଳିଛି। ଇତି ମଧ୍ୟରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ହୋଇ ତାଙ୍କ ପରେ ପାଞ୍ଚ ରୁ ଅଧିକ କନିଷ୍ଠ ଯନ୍ତ୍ରୀ ଏହି ପଞ୍ଚାୟତ ର ଦାୟିତ୍ଵ ବହନ କରିଥିଲେ ହେଁ ବ୍ଲକ୍ କାର୍ଯ୍ୟାଳୟରୁ ସମ୍ପୃକ୍ତ ଅଙ୍ଗନୱାଡ଼ି କେନ୍ଦ୍ରର ଫାଇଲ ଗାଏବ ହୋଇଯାଇଥିବାରୁ ଏହି କେନ୍ଦ୍ରର କାର୍ଯ୍ୟ ସମ୍ପୂର୍ଣ ହୋଇ ପାରୁନଥିବା ଜଣା ପଡ଼ିଛି। ଗ୍ରାମବାସୀଙ୍କ ତରଫରୁ ବାରମ୍ବାର ଦାବୀ ସତ୍ତ୍ୱେ ବିଭାଗ ହାତ ବାନ୍ଧି ବସି ଥିବା ବେଳେ ଏହାକୁ ନେଇ ଗ୍ରାମରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି l ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।