ଭୁବନେଶ୍ୱର : ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ଆନୁକୁଲ୍ୟରେ ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ ଜାତୀୟ ଓଡ଼ିଶା ସ୍ୱାଭିମାନ ସମ୍ମିଳନୀରେ ଯୋଗଦେଇ ଓଡ଼ିଶାର ସଂସ୍କୃତି, ସାହିତ୍ୟ, ଐତିହ୍ୟ, ପରମ୍ପରା ଆଦି ଅନନ୍ୟ ଓ ଅନ୍ୟତମ ବୋଲି କହିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ଇତିହାସକୁ ମନେପକାଇ କହିଛନ୍ତି ଯେ ଓଡ଼ିଶାର ଗଜପତିମାନେ ନିଜକୁ ରାଜ୍ୟର ରାଜା ବୋଲି ସମ୍ବୋଧନ ନକରି ଓଡ଼ିଆର ପ୍ରାଣ ଶ୍ରୀଜଗନ୍ନାଥଙ୍କୁ ସମସ୍ତ ଶ୍ରେୟ ଦେଇ ଓଡ଼ିଆମାନଙ୍କର ରାଜା ବୋଲି ସମ୍ବୋଧନ କରି ନିଜକୁ ସେବକ ପଦରେ ରଖିବାର ସ୍ପର୍ଦ୍ଧା ଓ ସ୍ୱାଭିମାନ କେବଳ ଓଡ଼ିଶାବାସୀଙ୍କ ପାଖରେ ଦେଖାଯାଏ । ଯେଉଁଜାତିର ପୂର୍ବପୁରୁଷମାନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ସାମ୍ରାଜ୍ୟ ବିସ୍ତାର କରି ଦିଗ୍ବୀଜୟର ବାନା ଉଡ଼ାଇ ଓଡ଼ିଶାର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରି ରଖିଛନ୍ତି ସେ ଜାତିର ଲୋକମାନେ ଭୀରୁ କାପୁରୁଷ ନହୋଇ ନିଜର ସ୍ୱାଭିମାନ ଓ ଅଧିକାର ପାଇଁ ଲଢ଼େଇ କରନ୍ତୁ ବୋଲି ରାଜ୍ୟପାଳ ଶ୍ରୀ ହରିଚନ୍ଦନ ନିଜ ବକ୍ତ୍ୟବରେ କହିଛନ୍ତି ।
ଓଡ଼ିଶାର ସାହିତ୍ୟ ଯେତିକି ସମୃଦ୍ଧ ସେତିକ ସୁନ୍ଦର । ଆମ ସାହିତ୍ୟରେ ଲୁଚି ରହିଛି ଦର୍ଶନ, ଜୀବନ ଜିଇଁବାର କଳା, ସମଗ୍ର ବିଶ୍ୱକୁ ନିଜର ପରିବାର ବୋଲି କହିବାର ଧୃଷ୍ଟତା । ଆମ ସାହିତ୍ୟ କହିପାରେ , “ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” ଏବଂ “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାନ୍ତୁ ପିଠିରେ” । ଏଭଳି ଏକ ମହାନ ଜାତି ସନ୍ତାନ ଭାବରେ ଅମେ ନିଜକୁ ଗର୍ବ କରିବା ଉଚିତ୍ । ଆମର ସଂସ୍କୃତି ଓ ପରମ୍ପରା ସଂପର୍କ ଓ ସୌହାର୍ଦ୍ଧ୍ୟକୁ ସୃଦୃଢ଼ କରି ଏକାଠି ରହିବାର ଦର୍ଶନ ଦେଇଥାଏ । ଆମର ସାମରିକ ଶକ୍ତି ଶାନ୍ତି ବାର୍ତ୍ତା ପ୍ରଦାନ କରୁଥିଲା ବେଳେ ଅନ୍ୟାୟ, ଅତ୍ୟାଚାର, ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ କରିବା ପାଇଁ ପ୍ରେରଣା ଦିଏ । ଆମର ଐତିହ୍ୟ ତୋଷାମଦକୁ ପରିତ୍ୟାଗ କରି ସ୍ୱାଭିମାନର ସହ ଜୀବନ ଜୀଇଁବାକୁ କହେ ବୋଲି ରାଜ୍ୟପାଳ ଶ୍ରୀ ହରିଚନ୍ଦନ ବକ୍ତ୍ୟବପ୍ରଦାନ କରିଥିଲେ ।
ଏହି ଅବସରରେ ରାଜ୍ୟପାଳ ଯନ୍ତ୍ରଣାରେ ଛଟପଟ ହେଉଥିବା ମଣିଷଙ୍କ ପାଇଁ ଆଗେଇ ଆସି ତାଙ୍କ ନିକଟରେ ଛିଡା ହୋଇ ସେମାନଙ୍କର ଅଧିକାର ତାଙ୍କୁ ଫେରାଇ ଦେବା ପାଇଁ ଆହ୍ୱାନ ଦେଇଛନ୍ତି । ବର୍ତ୍ତମାନର ସମୟ ତଲୱାର କିମ୍ବା ତୋପର ନୁହେଁ ବରଂ ଶାନ୍ତି ଓ ସଂହିତିର । ପ୍ରତ୍ୟେକ ମଣିଷ ନିଜ ନିଜର ଅଧିକାରରୁ ବଂଚିତ ନହୁଅନ୍ତୁ ଓ ମା’, ମାଟି ଓ ଦେଶର ସେବାକରି ନିଜକୁ ଗର୍ବିତ ମନେ କରନ୍ତୁ । ବିଶ୍ୱକୁ ଏକ ପରିବାର ମନେକରି ପରସ୍ପର ପରସ୍ପର ପ୍ରତି ସେୀହାର୍ଦ୍ଧ୍ୟର ହାତ ବଢ଼ାଇବା । ଯେପରି କୋଭିଡ଼ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଦେଶକୁ ମାଗଣା କୋଭିଡ଼ ଟିକା ପ୍ରଦାନ କରି ଦେଶର ଗୌରବକୁ ବୃଦ୍ଧି କରିଛନ୍ତି । ସେହିପରି ଆମେ ଅନ୍ୟାୟ, ଅତ୍ୟାଚାର ବିରୋଧରେ ଲଢ଼େଇ କରି ବଂଚିତକୁ ତାହାର ଅଧିକାର ଫେରେଇ ତା ମୁହଁରେ ଖୁସି ଭରିଦେବା । ମା, ମାଟି ଓ ଦେଶର ଟେକ ରଖି ନିଜକୁ ସୌଭାଗ୍ୟ ଅଧିକାରୀ ବୋଲି ମଣି ଜାତିକୁ ଗୌରବାନ୍ୱିତ କରିବା ପାଇଁ ରାଜ୍ୟପାଳ ଉପସ୍ଥିତ ସଭାସଦ୍କୁ ଉଦ୍ବୋଧନ ପ୍ରଦାନ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସମେତ ସମାଜର ସଂପାଦକ ପ୍ରମୋଦ ମହାପାତ୍ର, ପଦ୍ମଶ୍ରୀ ରବି ବସ୍ତିଆ, ଶିକ୍ଷାବିତ୍ ବଦ୍ରିନାଥ ପଟ୍ଟନାୟକ, ସମାଜସେବୀ ଦିଲ୍ଲୀପ ଶ୍ରୀଚନ୍ଦନ, ଶିକ୍ଷାବିତ ପ୍ରଫେସର ପ୍ରଫୁଲ କୁମାର ମହାନ୍ତି, ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ସାବତ ପ୍ରମୁଖ ଉକ୍ତ ଯୋଗଦାନ କରିଥିଲେ ।