ଭଦ୍ରକ : ଏହି ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ୍ ଆଖୁଆପଦା ଠାରୁ ଆନିକଟର ଗଭୀର ଜଳରାଶିରୁ ସ୍ଥାନୀୟ ଅଗ୍ନିଶମବାହିନୀ ଓ ଓଡ୍ରାଫ ଟିମ ଗୁରୁବାର ଦିନ ତମାମ ଗତ ବୁଧବାର ରାତ୍ର ୯.୩୦ମି.ରେ ୧୬ ନଂ ଜାତୀୟ ରାଜପଥର ବୈତରଣୀ ସେତୁ ଉପରୁ ନଦୀକୁ ଡେଇଁଥିବା ଦେଢବର୍ଷର ଝିଅ ଓ ବାପା ଚନ୍ଦନକୁ ଖୋଜୁଛନ୍ତି । ଅନ୍ୟପକ୍ଷରେ ଭଉଣୀ ସହ ଚନ୍ଦନର ଅନ୍ତିମ ଫୋନ ଯୋଗେ ହୋଇଥିବା ବାର୍ତ୍ତାଳପ ଅଡିଓ ଭାଇରାଲ ହୋଇ ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଭଉଣୀର ରାଣ ନିୟମକୁ ଏଡାଇ ଭାଇ ଚନ୍ଦନ ଏଭଳି ନିଷ୍ପତ୍ତି କାହିକିଁ ନେଲା ତାହାକୁ ଜାଣିବା ପାଇଁ ଉତ୍ସୁକତା ସୃଷ୍ଟି ହୋଇଛି । ରୋଜଗାରିଆ ପୁଅ ଓ ନାତୁଣୀକୁ ହରାଇ ଚନ୍ଦନର ପିତାମାତା ସମେତ ଚନ୍ଦନର ସାନ ୩ ଭାଇଙ୍କ କ୍ରନ୍ଦନରୋଳ ଅତ୍ୟନ୍ତ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।
ବାଲିପୋଖରୀ ପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ(୩୦) ମାନସିକ ଭାରସାମ୍ୟ ହରାଇ ଅଢେଇ ବର୍ଷର କନ୍ୟା ତୃପ୍ତି ସହ ଗତ ବୁଧବାର ରାତ୍ରରେ ନଦୀକୁ ଡେଇଁ ପଡିଥିଲେ । ପୁଲିସ ବୈତରଣୀ ସେତୁ ଉପରୁ ବାଇକ, ଉଭୟ ବାପଝିଅଙ୍କ ଜୋତାକୁ ଜବତ କରିଛି । ୨ ବର୍ଷ ପୂର୍ବେ ଚନ୍ଦନ ସ୍ଥାନୀୟ ମଞ୍ଜୁରୀ ଗ୍ରାମର ଲକ୍ଷ୍ମୀପ୍ରିୟାଙ୍କୁ ପ୍ରେମ କରିଥଲେ । ଚନ୍ଦନ ସୁରତର ଏକ ସୂତା ମିଲରେ କାମ କରୁଥିଲେ । ବିବାହ ପରେ ଚନ୍ଦନ ପତ୍ନୀଙ୍କୁ ନେଇ ସୁରତରେ ରହୁଥିଲେ । ମାସକ ତଳେ ଲକ୍ଷ୍ମୀପ୍ରିୟା ସୁରତରେ ଆତ୍ମହତ୍ୟା କରିବାରୁ ଚନ୍ଦନ ପରମାନନ୍ଦପୁର ଆସି ସୁଦ୍ଧି ହୋଇଥିଲେ । ଚନ୍ଦନଙ୍କ ଶ୍ୱଶୁର ଘର ପକ୍ଷରୁ ଝିଅ ତୃପ୍ତି ନାମରେ ୩ ଲକ୍ଷ ଟଙ୍କା ଜମା ରଖିବାକୁ ଚନ୍ଦନ ଉପରେ ଚାପ ପ୍ରୟୋଗ କରାଯାଇଥିଲା । ଚନ୍ଦନ ବାପ ମାଆ ସହ ଝିଅକୁ ନେଇ ସୁରତ ଯାଇଥିଲେ । ସେଠାରେ ସ୍ୱଳ୍ପ ଦିନ ରହି ପତ୍ନୀ କଥା ଭୁଲିନପାରି ସପ୍ତାହକ ମଧ୍ୟରେ ଘରକୁ ଫେରିଆସିଥିଲେ । ସେବେଠାରୁ ଚନ୍ଦନ ଗାଁକୁ ଫେରି ମାନସିକ ଭାରସାମ୍ୟ ହରାଇ ଅସ୍ୱାଭାବିକ ହୋଇପଡିଥିଲେ । ପିତାମାତା, ଭଉଣୀ ଓ ସାଥିଙ୍କୁ ଜଣାଇ ଶେଷରେ ଏଭଳି ନିଷ୍ପତ୍ତି ନେଇଥିଲେ ଚନ୍ଦନ ।