ଭୁବନେଶ୍ୱର : ଚଳିତବର୍ଷ ବିଳମ୍ବରେ ମୌସୁମୀ ଆସିବା ଓ ପରବର୍ତୀ ସମୟରେ ରାଜ୍ୟର ଅନେକ ଅଂଚଳରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ରୁଆ ବେଉଷଣ କାର୍ଯ୍ୟର ୫୦ ପ୍ରତିଶତ ମଧ୍ୟ ଅଗ୍ରଗତି କରି ପାରିନାହିଁ । ଫଳରେ ଅନମିୟମିତ ଜଳବାୟୁ ପରିସ୍ଥିତିକୁ ଦେଖି ରାଜ୍ୟର ୮ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଖରିଫ୍ ଧାନ ବିକ୍ରି ପାଇଁ ସେମାନଙ୍କର ନାମ ପଞ୍ଜିକରଣ କରି ପାରି ନାହାନ୍ତି । ଏହି ଦିଗରେ ସରକାରଙ୍କ ପକ୍ଷରୁ ସେପରି ସଚେତନତା ବୃଦ୍ଧି କରାଯାଇ ନାହିଁ । ଅନ୍ୟ ଦିଗରେ ୱେବ ସାଇଟ୍ ଅତି ଧିମା ଥିବାରୁ ନାମ ପଞ୍ଜିକରଣ କରିବା କାଠିକର ପାଠ ହୋଇଛି । ଆଉ ଦିନକ ପରେ ମଣ୍ଡିରେ ଧାନ ବିକ୍ରି ପାଇଁ ପଞ୍ଜିକରଣ ତାରିଖ ଶେଷ ହେବ । ବର୍ତମାନ ସୁଦ୍ଧା ୧୦ ଲକ୍ଷ ୧୫ ହଜାର ଚାଷୀ କେବଳ ସେମାନଙ୍କ ନାମ ପଞ୍ଜିକୃତ କରିଛନ୍ତି । ତେଣୁ ଚାଷୀଙ୍କର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଖରିଫ୍ ଧାନ ବିକ୍ରୟ ପାଇଁ ଚାଷୀ ନାମ ପଞ୍ଜିକରଣ ସମୟ ସୀମା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି । ଏହି ମର୍ମରେ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କିଷାନ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ନିକଟକୁ ଦାବିପତ୍ର ପଠାଇଛନ୍ତି । ଯଦି ଏହି ଦିଗରେ ସରକାର ଆଶୁ ପଦକ୍ଷେପ ଗ୍ରହଣ ନ କରନ୍ତି, ପିସିସି କିଷାନ କଂଗ୍ରେସ ପକ୍ଷରୁ ପ୍ରତି ଜିଲ୍ଲା କିଷାନ କଂଗ୍ରେସ ତରଫରୁ ଚାଷୀ ଆନ୍ଦୋଳନକୁ ଜିଲ୍ଲାସ୍ତରରେ ଦୁର୍ବାର କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।