ସମ୍ବଲପୁର : ସମ୍ବଲପୁରରେ ଦେଖିବାକୁ ମିଳିଛ ଏହି ହୃଦୟ ବିଦାରକ ଘଟଣା। ମୃତ୍ୟୁ ପରେ ଶବ ନେବାତ ଦୂରର କଥା ଅସ୍ଥି ନେବାକୁ ମଧ୍ୟ ଅମଙ୍ଗ ପ୍ରକଟ କଲେ ପରିବାର । ଅମାନବିକତାର ଶେଷ ସୀମା ପାର କରିଗଲେ ପରିବାର ଲୋକେ । ଶେଷରେ ଅଭାଗାର ପୁଅ ସାଜିଲେ ସମ୍ବଲପୁର ମହାନଗର ନିଗମ କମିଶନର । ସୂଚନା ଅନୁସାରେ କେରଳର ବାସିନ୍ଦା ପଦ୍ମା ନାୟାର ୧୯୯୮ ମସିହାରୁ ତତ୍କାଳିନ ହୀରାକୁଦ ଏନ୍ଏସି ପରିଚାଳିତ ଏକ ସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ସମ୍ବଲପୁର ମହାନଗର ନିଗମ ଘୋଷଣା ହେବାପରେ ଓ ଉକ୍ତ ସ୍କୁଲ ଶିକ୍ଷା ବିଭାଗରେ ମିଶ୍ରଣ ପରେ ତାଙ୍କୁ ଏସ୍ଏମ୍ସି କାର୍ଯ୍ୟାଳୟରେ କିରାଣୀ ଭାବେ ନିଯୁକ୍ତି ଦିଆଯାଇଥିଲା। ଗତ କରୋନା ସମୟରେ ସେ କେରଳ ସ୍ଥିତ ତାଙ୍କ ପରିବାର ନିକଟକୁ ଫେରିବାକୁ ଚାହୁଁଥିଲେ । ମଧ୍ୟ ତାହା ସମ୍ଭବ ହୋଇନଥିଲା। ଆସନ୍ତା ୨୦୨୪ରେ ପଦ୍ମା ଚାକିରୀରୁ ଅବସର ଗ୍ରହଣ କରିଥାନ୍ତେ । ତେବେ ଗତ ୨/୩ ମାସ ହେଲା ସେ ଚଳାବୁଲା କରିପାରୁନଥିଲେ । ପରେ ପରେ ତାଙ୍କର ମାନସିକ ସମସ୍ୟା ସୃଷ୍ଟି ହୋଇଥିଲା। ତାଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକ ଚାହିଁଲେନି । ଫଳରେ ଅଜଣା ଶବର ଶେଷ ସାଥି ଭାବରେ ପରିଚିତ ସମ୍ବଳ ଅନୁଷ୍ଠାନ ସହାୟତାରେ ଯୁବ ଆଇଏଏସ ତଥା ସମ୍ବଲପୁର ମହାନଗର ନିଗମ କମିଶନର ବେଦଭୂଷଣ ରାଜଘାଟ ଆଣି ମୁଖାଗ୍ନୀ ଦେଇ ଶେଷ କୃତ୍ୟ ସମ୍ପନ୍ନ କରିଛନ୍ତି । ଶବକୁ କାନ୍ଧ ଦେଇ ଶ୍ମଶାନ ପର୍ଯ୍ୟନ୍ତ ବୋହି ଆଣିବା ସହ ଶେଷକୃତ୍ୟ ସମ୍ପନ୍ନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ସାମିଲ ହୋଇଥିଲେ ଏସ୍ଏମ୍ସି କମିଶନର, କର୍ମଚାରୀ ଓ ସ୍ୱେଚ୍ଛାସେବୀ। କମିଶନର୍ ଓ କର୍ମଚାରୀଙ୍କ ଏହି ମହାନ କାର୍ଯ୍ୟକୁ ସବୁ ବର୍ଗରେ ପ୍ରସଂସା କରାଯିବା ସହ ମାନବିତା ତଥାପି ବଞ୍ଚିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।