ଭୁବନେଶ୍ୱର : ମାହାଙ୍ଗା ଦଶମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଓ ପ୍ରମାଣ ନଷ୍ଟ ମାମଲାରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟକୁ ପୁଲିସ ଗିରଫ କରିଛି ।
କଟକ ଗ୍ରାମାଂଚଳ ଏସପି ମିହିର ପଣ୍ଡା ସୂଚନା ଦେଇ କହିଛନ୍ତି ଯେ, ନାବାଳିକାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିବାରୁ ଅନୁପମ ରାୟଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ନିଲମ୍ବିତ ବିଜେଡି ନେତା ଶରତ ନାୟକଙ୍କୁ ଗିରଫ କରାଯାଇଛି । ନାବାଳିକାଙ୍କୁ ଆତ୍ମହତ୍ୟା କରିବା ପାଇଁ ଅନୁପମ ତାଙ୍କୁ ଉସୁକାଇଥିବା କଥା ଜାଣିଥିଲେ ଶରତ । ହେଲେ ସବୁ ଜାଣି ବି ସେ ଚୁପ ରହିବା ସହ ଅନୁପମଙ୍କୁ ସାହାଯ୍ୟ କରିଥିଲେ ।
ମୃତ ନାବାଳିକାଙ୍କ ସହିତ ଜଗତସିଂହପୁର ଜିଲ୍ଲାର ଗୋକନ ହାଇସ୍କୁଲରେ ଖେଳ ଶିକ୍ଷକ ଥିବା ଅନୁପମ ରାୟଙ୍କର ପ୍ରେମ ସଂପର୍କ ଥିଲା । ୨ମାସ ତଳେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏହାପରେ ଏକ ଅଡିଓ ଭାଇରାଲ ହୋଇଥିଲା । ଭାଇରାଲ ହୋଇଥିବା ଅଡିଓରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟଙ୍କ ମା’ଙ୍କ ପରସ୍ପର ସହ କଥା ହେଉଥିବା ଜଣାପଡ଼ିଥିଲା । ପ୍ରମାଣ ନଷ୍ଟ କରିବାକୁ ଓ ମାମଲାକୁ ରଫାଦଫା କରିବାକୁ ଅନୁପମଙ୍କ ମା’ଙ୍କୁ ଶରତ ନାୟକ ୭୦ ହଜାର ଟଙ୍କା ମାଗିଥିଲେ । ପୁଲିସକୁ ବି ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ ।