ସାଲେପୁର : ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟକରୁଥିବା ଜଣେ ସିଆରସିସିଙ୍କ କାର୍ଯ୍ୟକାଳ ଶେଷ ହୋଇଗଲାଣି । ମାତ୍ର ସେ ମୂଳ ବିଦ୍ୟାଳୟକୁ ଆସୁନଥିବାରୁ ଉକ୍ତ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି । ସୂଚନାମୂତାବକ ନିଶ୍ଚିନ୍ତକୋଇଲି ବ୍ଲକ ତରତଶାସନ ପଂଚାୟତ ବଇଁପଡାସ୍ଥିତ ନାରାୟଣୀ ଉଚ୍ଚବିଦ୍ୟାପୀଠର ୮ଟି ଶ୍ରେଣୀରେ ୯୯ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହି ବିଦ୍ୟାଳୟର ସହକାରୀ ଶିକ୍ଷକ ଅଲେଖ ଚନ୍ଦ୍ର ବାରିକ ଗତ ୨୦୧୮ ଅଗଷ୍ଟ ୨୫ ତାରିଖ ଅସୁରେଶ୍ୱର କ୍ଲଷ୍ଟର ସିଆରସିସି ଭାବେ କାର୍ଯ୍ୟରେ ଯୋଗଦେଇଥିଲେ । ଶ୍ରୀ ବାରିକଙ୍କ ବ୍ୟତୀତ ଏହି ବିଦ୍ୟାଳୟରେ ଅନ୍ୟ ଦୁଇ ଜଣ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟ କରୁଛନ୍ତି । ସିଆରସିସି ଦାୟିତ୍ୱ ତୁଲାଇଲେ ମଧ୍ୟ ଶ୍ରୀ ବାରିକ ମାସକୁ ୧୫ ଦିନ ମୂଳ ବିଦ୍ୟାଳୟରେ କାର୍ଯ୍ୟ କରିବା କଥା । ହେଲେ ସେ କାଁ ଭାଁ ବିଦ୍ୟାଳୟକୁ ଆସୁଥିବା ଅଭିଯୋଗ ହେଉଛି । ଗତ ଅଗଷ୍ଟ ୨୫ ତାରିଖରୁ ସିଆରସିସି ଭାବେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏହାସତ୍ତ୍ୱେ ସେ ବିଦ୍ୟାଳୟରେ ଯୋଗଦେଉନଥିବା ଅଭିଯୋଗ ହେଉଛି । ଏଠାରେ ୮ ଟି ଶ୍ରେଣୀ ପାଇଁ ରହିଥିବା ଦୁଇ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ କୌଣସି କାରଣରୁ ଜଣେ ଅନୁପସ୍ଥିତ ରହିଲେ ବିଦ୍ୟାଳୟରେ କିପରି ପାଠ ପଢା ହେଉଥିବ ତାହା ସହଜେ ଅନୁମେୟ । ଏଥିନେଇ ଛାତ୍ରାଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ସଂପର୍କରେ ମଣ୍ଡଳ ଶିକ୍ଷାଅଧିକାରିଣୀ ଲକ୍ଷେହୀରା ଲାବଣ୍ୟବତୀ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଜିଲ୍ଲା ଶିକ୍ଷାଧିକାରିଙ୍କୁ ଏ ନେଇ ଅବଗତ କରାଯାଇଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ଆସିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏଠାରେ ସୂଚନା ଥାଉ କି ଅସୁରେଶ୍ୱର କ୍ଲଷ୍ଟରର ସଂଯୋଜକ ଅଲେଖ ଚନ୍ଦ୍ର ବାରିକଙ୍କ ଦାୟିତ୍ୱରେ ଅନୀୟମିତତା ସରକାରୀ ଅନୁଦାନ ଲୁଣ୍ଠନ ଓ ଶିକ୍ଷା ମାରଣ ନୀତି ପାଇଁ ତାଙ୍କୁ ତୁରନ୍ତ ବଦଳି କରିବା ପାଇଁ ସ୍ଥାନୀୟ ଛାତ୍ର ଛାତ୍ରୀ ଓ ଅଭିଭାବକମାନେ ମାନ୍ୟବର ମାହାଙ୍ଗା ବିଧାୟକଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ବିଧାୟକଙ୍କ ତରଫରୁ ଉକ୍ତ ଅଭିଯୋଗପତ୍ରକୁ ମଞ୍ଜୁରି କରି ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରିଣୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନଥିବାରୁ ଛାତ୍ରାଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି ।