ରାଞ୍ଚି : ଏନୋସ ଏକ୍କାଙ୍କୁ ଝଟ୍କା । ଝାରଖଣ୍ଡ ଦଳ ପକ୍ଷରୁ ଜାରି ହୋଇଥିବା ହ୍ୱିପକୁ ବିଧାୟକ ଏନୋସ ଏକ୍କା ଉଲ୍ଲଂଘନ କରିବା ମାମଲାରେ ବିଧାନସଭା ବାଚସ୍ପତି ବିଧାୟକ ପଦ ରଦ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ବାଚସ୍ପତିଙ୍କ ନିର୍ଦ୍ଦେଶକୁ ଝାରଖଣ୍ଡ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିବା ବେଳେ ଆଜି ଏହା ଉପରେ ଶୁଣାଣି ହୋଇଛି । ବୁଧବାର ହାଇକୋର୍ଟର ଜଷ୍ଟିସ ଏସକେ ଦ୍ୱିବେଦୀଙ୍କ ଖଣ୍ଡପୀଠ ଏନୋସ ଏକ୍କାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ଏନୋସ ଏକ୍କାଙ୍କ ବିଧାନସଭା ସଦସ୍ୟତା ରଦ୍ଦକୁ ସଠିକ୍ ବୋଲି କହିଛନ୍ତି କୋର୍ଟ ।
ଆବେଦନରେ ଏନୋସ ଏକ୍କା 2009, ଅଗଷ୍ଟ 13ରେ ବାଚସ୍ପତିଙ୍କ ଦ୍ୱାରା ତାଙ୍କ ବିଧାନସଭା ସଦସ୍ୟତା ରଦ୍ଦ ନିର୍ଦ୍ଦେଶକୁ ଚାଲେଞ୍ଜ କରିଥିଲେ । ଏନୋସଙ୍କ ନାମରେ 2005ରେ ଝାରଖଣ୍ଡ ବିଧାନସଭା ନିର୍ବାଚନ ପରେ ଝାରଖଣ୍ଡ ଦଳ ପକ୍ଷରୁ ଜାରି ହୋଇଥିବା ହ୍ୱିପକୁ ଉଲ୍ଲଂଘନ କରିବା ସହ ଏନଡିଏ ସପକ୍ଷରେ ମତଦାନ କରିଥିବା ଅଭିଯୋଗ ହୋଇଥିଲା । ବାଚସ୍ପତି ବିସ୍ତୃତ ଭାବେ ଏହାର ଶୁଣାଣି କରିବା ସହ ଏନୋସଙ୍କ ସଦସ୍ୟତା ରଦ୍ଦ କରିଥିଲେ । ଯାହାକୁ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏନୋସ ।