କେନ୍ଦୁଝର : କେନ୍ଦୁଝର ରେ ଥମିବାର ନାମ ନେଉ ନାହିଁ ବଣୁଆ ହାତୀଙ୍କର ଆତଙ୍କରାଜ । ଶହ ଶହ ଏକର ଧାନ ଫସଲ ନଷ୍ଟ କରିବା ସହ ଲୋକଙ୍କୁ ଭୟ ଭୀତ କରି ରଖିଛନ୍ତି ଏହି ହାତୀ ପଲ । ଏବେ କେବଳ ଧାନ ବିଲ ଭିତରେ ସିମୀତ ରହିତିବା ଏହି ହାତୀ ପଲ କେଉଁ ମୁହୁର୍ତରେ ଯେ ଗ୍ରାମ ମୁହାଁ ହୋଇ ଉପଦ୍ରବ ଆରମ୍ଭ କରିଦେବେ ସେହି ଅଜଣା ଆତଙ୍କ ମଧ୍ୟରେ ରାତିରେ ଭଲଭାବେ ନିଦ୍ରା ଯାଇ ପାରୁ ନାହାଁନ୍ତି ଅଂଚଳବାସୀ । ଏଭଳି ଏକ ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି ହୋଇଛି କେନ୍ଦୁଝର ଜିଲ୍ଲାର ପାଟଣା ରେଞ୍ଜ ଅଂଚଳରେ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜର ଖିରେଇଟାଙ୍ଗିରି ସେକ୍ସନ ଓ ତଣ୍ଡ ବିଟ୍ ଅଂଚଳ ରେ ୨୭ ଟିକିଆ ହାତୀ ପଲଙ୍କ ଆତଙ୍କରାଜ ଲାଗି ରହିଛି । ଗତକାଲି ବିଳମ୍ବିତ ରାତ୍ରୀରେ ସେହି ହାତୀ ଦଳ ମଧ୍ୟରୁ ୧୮ ଟିକିଆ ହାତୀପଲ ଖିରେଇଟାଙ୍ଗିରି ସେକ୍ସନ ଅଂଚଳର ସରାଶିଙ୍ଗା, ଦଶରଥୀପୁର , ପୁରନ୍ଦରପୁର ଅଂଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତିି । ଏବଂ ଧାନ ଫସଲ ନଷ୍ଟ କରି ସାରିବା ପରେ ହାତୀପଲ ଏବେ ବାଉଁଶୂଳୀ ଗାଁ ନିକଟ ଜଙ୍ଗଲରେ ଡେରା ପକାଇଛନ୍ତି । ଏହି ୧୮ ଟିକିଆ ହାତୀପଲ ଗତକାଲି ସଂଧ୍ୟାରେ ସରାସିଙ୍ଗା ଶିବ ମନ୍ଦିର ନିକଟରେ ଏକ ପୋଖରୀ ରେ ଜଳ କ୍ରିଡା କରିଥିଲେ । ହାତୀପଲଙ୍କର ଜଳ କ୍ରୀଡା ର ମନୋରମ ଦୃଶ୍ୟ ଲୋକଙ୍କୁ ଯେତିକି ଆନନ୍ଦ ଦେଇଥିଲା ମନରେ ମଧ୍ୟ ଅନୁରୁପ ଭୟ ସଞ୍ଚାର କରିଥିଲା । ହାତପଲଙ୍କ ଜଳକ୍ରୀଡା ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ ଜମିଥିଲା । ସେ ପଟେ ବାକି ୯ ଟି ହାତୀ ଏକ ଦଳ ହୋଇ ତଣ୍ଡ ବିଟ୍ ଅଞ୍ଚଳରେ ବ୍ୟାପକ ଅଞ୍ଚଳରେ ଧାନ ଚାଷ ନଷ୍ଟ କରିବା ପରେ ଏବେ ବଣମହୁଲିଡିହା ଗାଁ ନିକଟସ୍ଥ ଅଟେଇ ଜଙ୍ଗଲରେ ଡେରା ପକାଇଛନ୍ତି । ଗାଁ ନିକଟରେ ହାତୀପଲଙ୍କର ଉପସ୍ଥିତି ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି । ଫଲରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । କିନ୍ତୁ ଏପଟେ ବନ ବିଭାଗର ସେହି ସ୍ୱଭାବିକ ଉତର । ହାତୀପଲଙ୍କ ଉପରେ ତୀକ୍ଷଣ ଦୃଷ୍ଟି ରଖା ଯାଇଛି । କିନ୍ତୁ ଗାଁ ଲୋକ ତରନ୍ତ ଗାଁରୁ ହାତୀ ପଲଙ୍କୁ ଘଉଡାଇବା ସହ ହାତୀ ଦ୍ୱାରା ସେମାନଙ୍କର କ୍ଷତି ର ଭରଣା ତଥା କ୍ଷତି ପୁରଣ ଦେବାକୁ ଦାବୀ କରିଛନ୍ତି ।