
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ସହରରୁ ଗ୍ରାମ ପର୍ଯ୍ୟନ୍ତ ପୁଅ ଯୁଇନ୍ତିଆ ବା ଦୂତୀ ବାହନ ଓଷା ଗତକାଲି ସର୍ବତ୍ର ପାଳିତ ହୋଇଯାଇଛି। ମାଆ ମାନେ ନିଜ ପୁଅ ଝିଅ ମାନଙ୍କ ମଙ୍ଗଳ କାମନା ଓ ଦୀର୍ଘ ଜୀବନ କାମନା କରି ଦିନ ତମାମ ନିର୍ଜଳା ଉପବାସ କରି ସନ୍ଧ୍ୟାରେ ପୂଜା କରନ୍ତି। ପରଦିନ ବଡି ଭୋରରୁ ଉଠି ଘାଟରେ ପୂଜା କରି ପୁଅଙ୍କୁ ଦୁବ ଚଢାଇ ଥାଆନ୍ତି, ପରେ କିଛି ପାଟିକୁ ନେଇଥାନ୍ତି। ସେହିପରି ଜିଲ୍ଲାର କୁଟାସିଂହା, କଣ୍ଟାପାଲି, ତେନ୍ତୁଳି ଗାଁ, ଡୁଙ୍ଗୁରିପାଲି, ସେମିଲିମୁନ୍ଡା ଠାରେ ପୁଅଜିଉଁତିଆ ଓଷା ପାଳିତ ହୋଇଯାଇଛି।
ପୁଅ ମାନଙ୍କର ମଙ୍ଗଳ ତଥା ଦିର୍ଘାୟୁ କାମନା କରି ମା” ମାନେ ଆଶ୍ଵିନ କୃଷ୍ଣ ପକ୍ଷ ଅଷ୍ଟମୀ ତିଥରେ ଏହି ଓଷା ପାଳନ କରିଥାନ୍ତି। ଏହି ଓଷାରେ ମହିଳାମାନେ ଦିନ ସାରା ସଂପୁର୍ଣ୍ଣ ନିର୍ଜଳା ଉପବାସ ରହି ସନ୍ଧ୍ୟାରେ ଗାଁ ର ପୋଖରୀକୁ ଯାଇ ଗାଧୋଇ ସେଠାରେ ପୁଜା କରିଥାନ୍ତି । ସନ୍ଧ୍ୟାରେ ଗାଁ ମଝିରେ ସମସ୍ତେ ଏକାଠି ହୋଇ ଦୁତିବାହନ ପୁଜା କରିଥାନ୍ତି । ଓଷା କରିଥିବା ମହିଳା ମାନେ ୧୦୮ ଅରୁଆ ଚାଉଳ, ୧୦୮ ଦୁବ କାକୁଡି, ଅଁଳା ଡାଳ, ଅନ୍ୟାନ୍ୟ ୨୧ ପ୍ରକାର ଫଳମୁଳ ଓ ଲିଆରେ ଜୁଗାର ତିଆରି କରି ଦୁତିଙ୍କ ପାଖରେ ଅର୍ପଣ କରି ପୁଜାର୍ଚ୍ଚନା କରିଥାନ୍ତି । ତା ପରଦିନ ଭୋର ସକାଳରୁ ମା” ମାନେ ଗାଁ ର ପୋଖରୀକୁ ଗାଧୋଇଯାଇ ସେଠାରେ ବାଲି ବେଦିରେ ସାଲ କାଠିପୋତି କାଜୁରି ଚକିଦେଇ ଘାଟପୁଜା କରିବା ପରେ ଘରେ ପୁଅ ମାନଙ୍କୁ ବନ୍ଦାପନା କରି ଦୁବ ଓ ଜିଉଁତିଆ ବିଡାକୁ ପୁଅ ମାନଙ୍କ ମଣ୍ଡରେ ସାତ ଥର ଛୁଆନ୍ତି ଓ ଦିର୍ଘାୟୁ ହେବାର ଆଶୀର୍ବାଦ କରିଥାନ୍ତି । ପୁତ୍ରଲାଭ ଆଶାରେ ଅପୁତ୍ରିକ ମହିଳାମାନେ ମଧ୍ୟ ଏହି ବ୍ରତ କରିଥାନ୍ତି । ଏହି ଅଷ୍ଟମୀ ତିଥିରେ ଗାଁ ର ମଧ୍ୟ ଭାଗରେ ପୂଜା କରାଯାଏ। ଏହି ପରମ୍ପରା କାହିଁ କେଉଁ କାଳରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ସେହି ନିଷ୍ଠାରେ ମହିଳା ମାନେ ବ୍ରତ କରୁଥିବା ଦେଖିବାକୁ ମିଳିଛି।