
ବଲାଙ୍ଗୀର : ନିର୍ବାଚନ ପୂର୍ବରୁ ବଲାଙ୍ଗୀର ରାଜ ପରିବାର ପାଇଁ ପୁଣିଥରେ ଅଡୁଆ ସାଜିଲେ ଅଦ୍ରିଜା ସିଂହଦେଓ । ବଲାଙ୍ଗୀର ବିଜେଡିର ତୁଙ୍ଗନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ବୋହୂ ଡେରାଡୁନର ଝିଅ ଅଦ୍ରିଜା ନିଜ ଶ୍ୱଶୁର ଓ ସ୍ୱାମୀ ଅର୍କେଶଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କ୍ଷ ୨୦୧୯ ନିର୍ବାଚନରେ ବଲାଙ୍ଗୀର ବିଧାନସଭା ନିର୍ବାଚନମଣ୍ଡଳୀରୁ ଅର୍କେଶ ସିଂହଦେଓ ଓ କଲିକେଶ ସିଂଦେଓ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ଅଦ୍ରିଜା ନିଜ ସ୍ୱାମୀ ଓ ଦେଢ଼ଶୁରଙ୍କ ପାଇଁ ନିର୍ବାଚନ ପ୍ରଚାର ମଧ୍ଯ କରିଥିଲେ । ନିର୍ବାଚନରେ ରାଜ ପରିବାରର ଦୁଇ ଭାଇ ହାରିଗଲା ପରେ ହଠାତ୍ ରାଜପରିବାର ତରଫରୁ ଅଦ୍ରିଜାଙ୍କ ଉପରେ ନାନାଦି ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିବା ନେଇ ଅଦ୍ରିଜା ଆଜିର ସାମ୍ବାଦିକ ସମ୍ମିଳନୀରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଅର୍କେଶଙ୍କ ସ୍ତ୍ରୀ ଅଦ୍ରିଜା ନିଜ ସ୍ୱାମୀଙ୍କ ନାମରେ ଯୌତୁକ ଜନିତ ନିର୍ଯ୍ୟାତନା ଅଭିଯୋଗ ଆଣିବା ସହ ତାଙ୍କ ଜୀବନ ବର୍ତମାନ ସୁରକ୍ଷିତ ନାହିଁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି ସ୍ଥାନୀୟ ସେଲିବ୍ରେସନ ହୋଟେଲ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଶ୍ରୀମତୀ ସିଂହଦେଓ ନିଜ ଉପରେ ହୋଇଥିବା ଅକଥନୀୟ ଅମାନୁଷିକ ଅତ୍ୟାଚାର ବିରୁଦ୍ଧରେ ଭୋଟର ଏହି ରାଜପରିବାର କୁ ଉଚିତ୍ ଜାବାବ ଦେବେ ବୋଲି କହିଛନ୍ତି । ନିର୍ଯାତନା ମାମଲାରେ ସେ ଡ଼େରାଡ଼ୁନ୍ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି କିନ୍ତୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ ଦୋଷୀ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା କହିଛନ୍ତି ଅଦ୍ରିଜା । ଏପରି ପରିବାର ଓ ପ୍ରାର୍ଥୀଙ୍କ ହାତରେ ବଲାଙ୍ଗୀରବାସୀ ସୁରକ୍ଷିତ ନୁହଁନ୍ତି ଓ ନିର୍ବାଚନ ଲଢ଼ୁଥିବା ଏପରି ପରିବାରର ସଦସ୍ୟଙ୍କୁ ଲୋକେ ଭୋଟ ଦିଅନ୍ତୁ ନାହିଁ ବୋଲି ଅଦ୍ରିଜା ନିବେଦନ କରିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଅଦ୍ରିଜାଙ୍କ ଆଇନ ପରାମର୍ଶଦାତା ଦେବାଶିଷ ବିଶ୍ୱାଳ ଓ ସମାଜସେବୀ ବିଜୁଳି ପ୍ରଧାନ ଉପସ୍ଥିତ ଥିଲେ ।