ଭୋପାଳ : ରବିବାର ଦିନ ଦିନିକିଆ ଭୋପାଳ ଗସ୍ତରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ କୁଶାଭାଓ ଠାକରେ ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରରେ ମଧ୍ୟପ୍ରଦେଶର ଶିବରାଜ ସିଂ ସରକାରଙ୍କର 20 ବର୍ଷର ରିପୋର୍ଟ କାର୍ଡ ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନକୁ ବହୁତ ପରିଶ୍ରମୀ କହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଶାହ । ଏକ ରୋଗିଣା ରାଜ୍ୟକୁ ଦେଶର ସବୁଠୁ ବିକଶିତ ରାଜ୍ୟ କରିବାକୁ ଆମେ ପ୍ରୟାସ କରିଛୁ ବୋଲି ଶାହ କହିଥିଲେ ।
ରବିବାର ଦିନ ମଧ୍ୟାହ୍ନ 12ଟାରେ ଅମିତ ଶାହ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୋପାଳର ରାଜାଭୋଜ ବିମାନବନ୍ଦରରେ ପହଞ୍ଚିଥିଲେ । ଏୟାରପୋର୍ଟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, ବିଜେପିର ରାଜ୍ୟ ଅଧ୍ୟକ୍ଷ ଭିଡି ଶର୍ମା ଓ ରାଜ୍ୟର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ତାଙ୍କର ସ୍ୱାଗତ କରିଥିଲେ । ବିମାନବନ୍ଦରରୁ ସିଧାସଳଖ କୁଶାଭାଓ ଠାକରେ ସଭାକକ୍ଷକୁ ଯାଇଥିଲେ ଗୃହମନ୍ତ୍ରୀ ଅମିତ ଶାହ । ଏଠାରେ ସେ ଗରିବ କଲ୍ୟାଣ ମହାଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ ଓ ଶିବରାଜ ସିଂଙ୍କ ମିଶନକୁ ନେଇ ମଧ୍ୟପ୍ରଦେଶର ବିଜେପି ସରକାରର 20 ବର୍ଷର ରିପୋର୍ଟ କାର୍ଡ ଜାରି କରିଥିଲେ ।
ଏକ ରୋଗଗ୍ରସ୍ତ ରାଜ୍ୟକୁ 20ବର୍ଷରେ ବିକଶିତ ରାଜ୍ୟ ଭାବେ ଆଗକୁ ନେବାରେ ଆମେ କାମ କରିଛୁ ବୋଲି ଶାହ କହିଛନ୍ତି । ଏହି ବର୍ଷ ଗୁଡିକରେ ଆତ୍ମନିର୍ଭର ମଧ୍ୟପ୍ରଦେଶର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । 1956 ମସିହାରେ ମଧ୍ୟପ୍ରଦେଶ ଗଠନ ହୋଇଥିଲା । ସେବେଠାରୁ 2003 ପର୍ଯ୍ୟନ୍ତ ଏଠାରେ କଂଗ୍ରେସ ଶାସନ କରୁଥିଲା । 53 ବର୍ଷରେ ମଧ୍ୟପ୍ରଦେଶକୁ ରୋଗଗ୍ରସ୍ତ ରାଜ୍ୟ କରିପକାଇଥିଲା କଂଗ୍ରେସ । ତେବେ ଆଗାମୀ ଅମୃତକାଳ ସମୟ ମଧ୍ୟପ୍ରଦେଶ ପାଇଁ ଅତୁଳନୀୟ ହେବ । ମଧ୍ୟପ୍ରଦେଶର ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢୁଛି,ରାଜ୍ୟର ପ୍ରତି କୋଣରେ ବିକାଶ ପହଞ୍ଚୁଛି ବୋଲି ଶାହ କହିଛନ୍ତି ।