ଭବାନୀପାଟଣା : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମାଆ ମାଣିକେଶ୍ଵରୀ ପବିତ୍ର ଛତ୍ରଯାତ୍ରା ସମ୍ବନ୍ଧୀୟ ଏକ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ରାଜା ବାଟି ତରଫରୁ ଶ୍ରୀ ଅନନ୍ତ ପ୍ରତାପ ଦେଓ ଉପସ୍ଥିତ ଥିଲେ।
ମାଣିକେଶ୍ଵରୀ ମନ୍ଦିର ପକ୍ଷରୁ ଜାରି ସୂଚନା ଅନୁସାରେ, ଆସନ୍ତା ଅକ୍ଟୋବର ୨୨ତାରିଖ ମା ମାଣିକେଶ୍ଵରୀଙ୍କ ପବିତ୍ର ଛତ୍ରଯାତ୍ରା ଜେନାଖାଲ ପୂଜାର୍ଚ୍ଚନା ସାରି ମନ୍ଦିର ଅଭିମୁଖେ ଭକ୍ତମାନଙ୍କ ଗ୍ରହଣରେ ଯାତ୍ରା କରିବେ । ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଏଜେଣ୍ଡା ଅନୁଯାୟୀ ପ୍ରସ୍ତାବ ପାଠ କଲେ ଏବଂ ଗୃହରେ ସମସ୍ତଙ୍କ ସହମତିରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ମାଙ୍କ ଛତର ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ମାଆଙ୍କ ଛତର ଯାତ୍ରାରେ ରାଜାବାଟି ଦ୍ଵାରା ପୁରସ୍କୃତ ଘୁମୁରା ଦଳ ବ୍ୟତୀତ ପୋଲିସ ବିଭାଗ ଦ୍ଵାରା ଚିହ୍ନଟ ଅନ୍ୟ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିବେ। ଛତ୍ର ଯାତ୍ରା ପାଇଁ ରାସ୍ତା ମରାମତି, ନାଳ ନର୍ଦ୍ଦମା ସଫା, ପାନୀୟ ଜଳ, ନିରବିଛିନ୍ନ ବିଦ୍ୟୁତ ସରବରାହ, ରାସ୍ତାରେ ବୁଲାଗାଇଗୋରୁ ନିୟନ୍ତ୍ରଣ, ମଦ ଓ ନିଶା ଦ୍ରବ୍ୟର ବିକ୍ରି ନିଷେଧ, ଶାନ୍ତି ଶୃଙ୍ଖଳା, ଆମ୍ବୁଲାନ୍ସ, ମାଜିଷ୍ଟ୍ରେଟ ମୁତୟନ, ସୂଚନା କେନ୍ଦ୍ର ସ୍ଥାପନ ଓ ଧାରା ବିବରଣୀ, ଚାକ୍ଷୁଷ ଧାରା ବିବରଣୀ କାର୍ଯ୍ୟଅନୁଷ୍ଠାନ ନିମନ୍ତେ ରାସ୍ତା ଓ ଗୃହ ନିର୍ମାଣ, ଜାତୀୟ ରାଜପଥ, ପୌର ପରିଷଦ, ବିଦ୍ୟୁତ ବିଭାଗ, ପୋଲିସ, ସ୍ବାସ୍ଥ୍ୟ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀଙ୍କୁ ଦାୟିତ୍ଵ ଦିଆଗଲା। ଦୁର୍ଗାପୂଜା କମିଟିର ପୂଜା ସ୍ଥାପନ ଓ ମେଢ଼ ବିସର୍ଜନ ପାଇଁ ଗାଇଡ ଲାଇନ ଅନୁଯାୟୀ ଚିହ୍ନଟ କୃତ୍ରିମ ପଲିଥିନ ପୁଷ୍କରିଣୀ ବ୍ୟବସ୍ଥା କରିବାକୁ ଉପ ଜିଲ୍ଲାପାଳ, ଭବାନୀପାଟଣା/ ଧର୍ମଗଡ ତଥା ଆଇନ ଶୃଙ୍ଖଳା ଓ ଛତ୍ର ଯାତ୍ରାକୁ ସୁରକ୍ଷିତ, ଜନସମାଗମକୁ ନିୟନ୍ତ୍ରଣ, ସାଂସ୍କୃତିକ ଦଳର ପ୍ରବେଶ ପାଇଁ ପୃଥକ ଭାବେ ଆରକ୍ଷୀ ଅଧିକ୍ଷକ ବୈଠକ ଆୟୋଜନ କରିବେ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ଉପ ଜିଲ୍ଲାପାଳ, ଭବାନୀପାଟଣା ଡଃ. ବିଶ୍ବଜିତ ଦାସ, ଉପ ଜିଲ୍ଲାପାଳ, ଧର୍ମଗଡ ବିରଞ୍ଚି ନାରାୟଣ ଦରୱାନ, ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା, ସିଡିଏମଓ ଡା. ନିହାରେନ୍ଦ୍ର ପଣ୍ଡା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିଚାର ବିଭାଗୀୟ ଅଧିକାରୀ, ସହରର ବିଭିନ୍ନ ଦୂର୍ଗା ପୂଜା କମିଟିର କର୍ମକର୍ତ୍ତା, ସମାଜସେବୀ ଉତ୍ସବ ସାହୁ, ସୁବ୍ରତ ବହିଦାର, ଓକିଲ, ବରିଷ୍ଠ ଆଇନଜିବୀ ଜଗନ୍ନାଥ ମୁଣ୍ଡ, ମନ୍ଦିର କତୃପକ୍ଷ ଅଶୋକ ନେଗି, ସାମନ୍ତ ଖମାରୀ, ଚିତ୍ତ ରଂଜନ ମଣ୍ଡଳ, ସତ୍ୟ ନାରାୟଣ ମହାପାତ୍ର, ଶଶି ଭୂଷଣ ଚୌଧୁରୀ, ଡିଆଈପିଆରଓ ମନୋଜ ବେହେରା, ଇ.ଓ. ଚିନ୍ମୟ ନାୟକ, ମସଜିଦ କମିଟି ସଭ୍ୟ, ଚର୍ଚ୍ଚ କମିଟି ସଭ୍ୟ, ବିଭାଗୀୟ ଅଧିକାରୀ ତଥା ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।