-କଂଗ୍ରେସର ୧୪ ବିଧାୟକ, ୧୪୦ ବିଧାୟକଙ୍କ ସହ ସମାନ
-ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ଜଙ୍ଗଲ ଜମିର ସୁରକ୍ଷା ପାଇଁ ଲଢ଼ିବ କଂଗ୍ରେସ
-ଭଲ ପ୍ରଦର୍ଶନ କରିଥିବା ନେତାଙ୍କୁ ମିଳିବ ସମ୍ମାନ, ଦଳ ବିରୋଧୀ କାର୍ଯ୍ୟକର୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୬ା୬: ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାର ଜନସାଧାରଣଙ୍କ ବିଶ୍ୱାସ ଓ ଭଲପାଇବା କଂଗ୍ରେସ ପ୍ରତି ବୃଦ୍ଧି ପାଇଛି । ସାରା ଦେଶରେ ମଧ୍ୟ ଜନସାଧାରଣ ଯେଭଳି ଭାବେ କଂଗ୍ରେସକୁ ସମର୍ଥନ ଜଣାଇଲେ ଓ ନରେନ୍ଦ୍ର ମୋଦିଙ୍କ ସରକାରକୁ ଜବାବ ଦେଲେ ସେଥିପାଇଁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ । ତେବେ ଏହି ନିର୍ବାଚନର ଫଳାଫଳ ଓଡ଼ିଶାବାସୀଙ୍କ ପାଇଁ ଏକ ସତର୍କ ଘଂଟି । ଏହା ସମସ୍ତଙ୍କ ପାଇଁ ଏକ ବିରାଟ ଚେତାବନୀ ମଧ୍ୟ । କାରଣ ଓଡ଼ିଶାକୁ ଜଙ୍ଗଲ, ଜମି, ଖଣି ଓ ପାଣି ଲୁଟେରା ସରକାର ଆସୁଛି । ପୂର୍ବରୁ ଭାରତୀୟ ଜନତା ପାର୍ଟିର ସରକାର ଛତିଶଗଡ଼, ଗୁଜରାଟ ଓ ମଧ୍ୟପ୍ରଦେଶରେ ଜଙ୍ଗଲ, ଜମି ଲୁଟି ସଫା କରିଦେଇଛି । ଏବେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର ଓ ସୁନ୍ଦରଗଡ଼ ଭଳି ଜିଲ୍ଲାର ଆଦିବାସୀ, ଅନୁସୂଚୀତ ଜାତି ଓ ଜନଜାତିଙ୍କ ଜମି, ଘରଦ୍ୱାର ଉପରେ ଏହି ସରକାରର ଲୋଲୁପ ଦୃଷ୍ଟି ପଡ଼ିଛି । ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ମୋଦି ଲୁଟିନେବାକୁ ଯୋଜନା କରିଛନ୍ତି । ତେବେ କଂଗ୍ରେସ ଏହା କରାଇ ଦେବନି । କଂଗ୍ରେସର ୧୪ ବିଧାୟକ ୧୪୦ ବିଧାୟକଙ୍କ ସହ ସମାନ । ସେମାନେ ବିଧାନସଭାରେ ଓ ବିଧାନସଭା ବାହାରେ ଓଡ଼ିଶାବାସୀଙ୍କ ସ୍ୱାର୍ଥ, ସେମାନଙ୍କ ଜଙ୍ଗଲ ଜମିର ସୁରକ୍ଷା ପାଇଁ କାର୍ଯ୍ୟ କରିବେ । ତେଣୁ ଆମେ ଓଡ଼ିଶାବାସୀଙ୍କ ହାତ ଛାଡ଼ିବୁ ନାହିଁ । ଓଡ଼ିଶାବାସୀ ମଧ୍ୟ ଆମ ହାତ ଛାଡନ୍ତୁ ନାହିଁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର କହିଛନ୍ତି ।
ଗୁରୁବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ଅଜୟ କୁମାର କହିଲେ ଯେ ମିଛ, ଘୃଣା ଓ ଅହଙ୍କାରର ରାଜନୀତି କରୁଥିବା ମୋଦି ସରକାରଙ୍କୁ ଦେଶବାସୀ ଚଳିତ ନିର୍ବାଚନରେ ଉପଯୁକ୍ତ ଜବାବ ଦେଇଛନ୍ତି । ଦେଶରେ ଏନ୍ଡିଏ ସରକାର ଗଢ଼ିବାକୁ ଯାଉଥିଲେ ମଧ୍ୟ ସହଯୋଗୀ ଦଳମାନେ କେତେଦୂର ମୋଦିଙ୍କ ସହ ରହିବେ ତାହା ଗୁରୁତ୍ୱପୂର୍ଣ୍ଣ ବିଷୟ । ଟିଡିପି ଓ ଜେଡିୟୁ ଭଳି ଦଳମାନେ ସେମାନଙ୍କର ବିଭିନ୍ନ ପ୍ରକାର ଦାବି ରଖୁଥିବା ଶୁଣିବାକୁ ମିଳୁଛି । ଅନ୍ୟପକ୍ଷରେ ଓଡ଼ିଶାବାସୀଙ୍କୁ ସତର୍କ ରହିବାକୁ ପଡ଼ିବ । କାରଣ ଆଗାମୀ ଦିନରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପାଇବା ସହ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିବ । ଏବେଠାରୁ ହଠାତ୍ ଓଡ଼ିଶାକୁ ସୁଟ୍ ବୁଟ୍ ପିନ୍ଧୁଥିବା ଲୋକଙ୍କ ସୁଅ ଛୁଟିଲାଣି । ସେମାନେ ଓଡ଼ିଶାକୁ ସମ୍ପୂର୍ଣ୍ଣ ଲୁଟିନେବାକୁ ଉଦ୍ୟମ କରିବେ । ତେବେ କଂଗ୍ରେସ ସେମାନଙ୍କୁ ମୁକାବିଲା କରିବ । ଆସନ୍ତା ୫ବର୍ଷ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ କଂଗ୍ରେସର ଲଢ଼େଇ ଆହୁରି ଜୋରଦାର ହେବ । ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ନେତାମାନଙ୍କୁ ଦଳ ଉପଯୁକ୍ତ ସମ୍ମାନ ଦେବ । ତେବେ ଯେଉଁମାନେ ଦଳ ପାଇଁ କିଛି କାର୍ଯ୍ୟ କରିନାହାନ୍ତି କିମ୍ବା ଦଳ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ରହିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡ. ଅଜୟ କୁମାର ଚେତାବନୀ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ତେଲେଙ୍ଗାନାର ଉପ ମୁଖ୍ୟମନ୍ତ୍ରୀ ମାଲୁଭାଟି ବିକ୍ରମାର୍କା ଦେଶର ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବାସୀ ଯେଭଳି କଂଗ୍ରେସକୁ ସମର୍ଥନ ଜଣାଇଲେ ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଲେ ଯେ ଦେଶର ଦଳିତ, ଆଦିବାସୀ, ଅନୁସୂଚୀତ ଜାତି, ଅନୁସୂଚୀତ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ତା’ର ଲଢ଼େଇ ଜାରି ରଖିବ । ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ ଚଳିତ ନିର୍ବାଚନରେ ଜନସାଧାରଣଙ୍କ ମତାମତକୁ ସମ୍ମାନ ଜଣାଇବା ସହ କଂଗ୍ରେସ ପ୍ରତି ସେମାନଙ୍କ ଭଲପାଇବା ପାଇଁ କୃତଜ୍ଞତା ଜଣାଇଛନ୍ତି । ଏଥିସହ ଦଳର ନବନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ, ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ ଉପସ୍ଥିତ ଥିଲେ ।