କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ସଂସାଧାନ ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଓଡିଶା ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ନିର୍ଦ୍ଦେଶାବଳୀ ଓ ମାର୍ଗ ଦର୍ଶିକା ଅନୁଯାଇ ଜିଲ୍ଲାର ୨୪୯ଟି ପଂଚାୟତରେ ରାଜ୍ୟ ସରକାରଙ୍କ ୧୦ଟି ଜନ ମଙ୍ଗଳକାରୀ ଯୋଜନାର ପ୍ରଚାର ପ୍ରସାର ଲୋକକଳା ମାଧ୍ୟମରେ ସଠିକ୍ ଭାବରେ କରିବା ପାଇଁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ଚଳିତ ମାସ ୧୫ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକରେ ଓ ସମସ୍ତ ଗ୍ରାମରେ ସରକାରଙ୍କର ଜନ କଲ୍ୟାଣକାରୀ ୧୦ ଟି ଯୋଜନାର ସଫଳ ବାର୍ତା କଳାକାର ମାନେ ଲୋକ କଳା ମାଧ୍ୟମରେ ଜନ ସାଧାରଣଙ୍କ ନିକଟରେ ପହଁଚାଇବେ । ଏହି ଉଦ୍ଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ରାଜେନ୍ଦ୍ର ପଣ୍ଡା, ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଡେପୁଟି ଡାଇରେକ୍ଟର ପ୍ଲାନିଂ ଆରତୀ ନାୟକ, ଜିଲ୍ଲା କୃଷି ଅଧିକାରୀ ତୁଷାରକାନ୍ତି ସାମଲ, ମିଶନଶକ୍ତିର କୈଳାସ ସେନାପତି, ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ ପ୍ରମୁଖ ବିଭିନ୍ନ ଯୋଜନା ସଂପର୍କରେ ତାଲିମ ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଉପଖଣ୍ଡ ସୂଚନା ଅଧିକାରୀ ଅଶୋକ କୁମାର ବଳିଆରସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।