ଗଂଜାମ/ଭୁବନେଶ୍ୱର : ୫ଟି ସଚିବଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ପୂର୍ବରୁ ଟାର୍ଗେଟ କରିଛି ବିଜେପି । ବିଜେପିର ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିଜେଡିର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ୍ ଙ୍କ ସମେତ ବିଜେଡ଼ିର ଛାମୁଆ ନେତା ଦୁଇଦିନ ହେବ ସଚିବଙ୍କ ପାଇଁ ଟେଣ୍ଟ ଭିଡୁଛନ୍ତି । ଚାକର ପାଇଁ କିଛି ଗୁମାସ୍ତା ଆସି କାମ କରୁଛନ୍ତି । ବିରୋଧ ହୋଇଛି ଆଗକୁ ମଧ୍ୟ ପ୍ରବଳ ବିରୋଧ ହେବ ।କାନ୍ଥରେ ଭାରତୀୟ ଜନତା ପାର୍ଟି କଳା ରଙ୍ଗରେ କାର୍ଯ୍ୟକ୍ରମ କୁ ବିରୋଧ କରିଛି ।
ଓଡ଼ିଶାରେ ସମ୍ବିଧାନ ଓ ଗଣତନ୍ତ୍ର ଆଜି ବିପଦରେ । ସମସ୍ତ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ଜଣେ କନିଷ୍ଠ କ୍ୟାଡର ଆଇଏଏସ୍ ଅଫିସର ଶାସନତନ୍ତ୍ରକୁ ଡକାୟତ କରିଛନ୍ତି । ଶାସକ ଦଳ ନିକଟ ୧୧୩ବିଧାୟକ, ୨୦ ଜଣମନ୍ତ୍ରୀ, ୨୧ଜଣ ଲୋକସଭା ଓ ରାଜ୍ୟସଭା ସାଂସଦ ଆଜି କିଂ କର୍ତବ୍ୟ ବିମୂଢ ପାଲଟିଛନ୍ତି । ଅସନ୍ତୋଷ ଜଳଜଳ ହୋଇଥଲେ ବି ଟିକେଟ ଆଶାରେ କୌଣସି ବିଧାୟକ, ସାଂସାଦ ଓ ମନ୍ତ୍ରୀ ମୁହଁ ଖୋଲିନାହାନ୍ତି । ବରଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତିକେୟ ପାଣ୍ଡିଆନଙ୍କ ଗସ୍ତ ପାଇଁ ଟେଣ୍ଟ ଭିଡିଛନ୍ତି । ଗଣତନ୍ତ୍ରର ଏଭଳି ଦୟନୀୟ ସ୍ଥିତିରେ ବିଜେପି ଉଦବେଗ ପ୍ରକାଶ କରୁଛି ।ସଚିବଙ୍କ ମାତ୍ର ତିନିଦିନ ଗଞ୍ଜାମ ଗସ୍ତରେ ଜିଲ୍ଲାର ୧୨ଟି ନିର୍ବାଚନମଣ୍ଡଳୀରେ ସଭା ଆନ୍ଦୋଳନ କରି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଏକ ଧୂଆଁବାଣ । ଗତ ଦୁଇ ମାସ ଧରିରାଜ୍ୟ ସାରା ବୁଲୁଛନ୍ତି । ଗ୍ରହଣ କରିଥିବା ହଜାର ହଜାର ଅଭିଯୋଗ ପତ୍ର ସମାଧାନ ହୋଇଛି କି ତାହାର ଜବାବ ମାଗୁଛି ବିଜେପି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମକୁ ଏକ ନମ୍ବର କରିବାକୁ ପ୍ରତିଶ୍ରୁତି ପାଣିରେ ଗାର ହେବା ପରେ ଏବେ ବ୍ୟକ୍ତିଗତ ସଚିବଙ୍କ ଜରିଆରେ ନୂଆ ନାଟକ ଆରମ୍ଭ କରିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ସାଧନ କରିବାକୁ ସଚିବଙ୍କ ବ୍ୟୟ ବହୁଳ ଗସ୍ତ ଓଡ଼ିଶାବାସୀଙ୍କୁ ଚକିତ କରିଛି । ମାତ୍ର ଦୁଇ କି.ମି ଦୂର ପାଇଁ ହେଲିକେପ୍ଟର ବ୍ୟବହାର କରି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ସେହିପରି ବିଧାୟକ ଓ ସ୍ଥାନୀୟ ପ୍ରଶାସନ ସଭାସ୍ଥଳକୁ ଲୋକଙ୍କୁ ବୋହି ନେଉଛନ୍ତି ।ଏବାବଦରେ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ମହିଳା ଏସଏଚଜି ସରକାରଙ୍କ ହାତବାରିସି ପାଲଟିଛି । କଲେଜ ପିଲାଙ୍କୁ ଫେଲ୍ ଧମକ ଦେଇ ସଭାସ୍ଥଳକୁ ବୋହି ନେବା ବ୍ୟବସ୍ଥା ହୋଇଥିବା ଅଭିଯୋଗ ପହଞ୍ଚିଛି ।
୨୪ ବର୍ଷରେ ଗଞ୍ଜାମ ଜିଲ୍ଲାରେ ବିକାଶର ଛାଇ ମାଡ଼ିନି । କୃଷି, ଶିଳ୍ପ, ଶିକ୍ଷା, ଚିକିତ୍ସା ଓ ମହିଳା ବିକାଶ କ୍ଷେତ୍ରରେ ସବୁଠୁ ନିମ୍ନରେ । ଦାଦନ ଶ୍ରମିକରେ ଗଞ୍ଜାମ ଜିଲ୍ଲା ନମ୍ବର ୱାନ ହୋଇଛି । ଗୋଟିଏ ବି ଡ୍ୟାମ୍ ନିର୍ମାଣ ହୋଇନି । ଇେଂଚଜମିକୁ ଜଳସେଚନ ହୋଇନି । ଗତ ୨୪ ବର୍ଷରେ ଛୁଞ୍ଚି କାରଖାନା ଗୋଟେ ସରକାର କରିନାହାନ୍ତି । ଅନ୍ୟପକ୍ଷରେ ଶିଳ୍ପ ନାଁ ରେ ହଜାର ହଜାର ଏକର ଜମି ବୃହତ୍ କମ୍ପାନୀକୁ ଟେକି ଦେଇଛନ୍ତି । କୌଣସି ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି । ସ୍କୁଲରେ ଶିକ୍ଷକ ଅଭାବ ଓ ମତ୍ସ୍ୟଜିବୀ ମାନଙ୍କ ପାଇଁ ଜେଟ୍ ନାରେ ଭୋଟ ପାଇଁ ନୂଆ ଚୂଳାଉଛନ୍ତି । ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରାଜନୈତିକ କାର୍ଯ୍ୟକ୍ରମ ପାଲଟିଛି । ବ୍ରହ୍ମପୁରରେ ଗ୍ରୀନ ଫିଲ୍ମ ବିମାନ ବନ୍ଦର ନିର୍ମାଣ ସ୍ୱପ୍ନ ପାଲଟିଛି । ମହିଳା ସଶସ୍ତୀକରଣ କେବଳ କାଗଜ କଲମରେ ସୀମିତ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରାଯାଉନି । ଯୋଗ୍ୟ ହିତାଧୁକାରୀ ବାଦ ପଡ଼ିଛନ୍ତି । ଗଞ୍ଜାମର ବୁଣାକାରଙ୍କୁ ପ୍ରୋସାହନ ଅଭାବରୁ କୌଳିକ ବୃଦ୍ଧି ଛକୁଛନ୍ତି । ଗଞ୍ଜାମ ଜିଲ୍ଲାରୁ ପ୍ରଚୁର ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ହେଉଛି । ସରକାର ବାଲି ଓ ପଥର ମାଫିଆଙ୍କ ସହାୟତାରେ ଭୋଟ ରାଜନୀତି କରୁଛି ।ମୁଖ୍ୟମନ୍ତ୍ରୀଙ୍କ ସଚିବ ଗଞ୍ଜାମ ଜିଲ୍ଲାର ଏସବୁ ସମସ୍ୟା ଅଭିଯୋଗ ସମାଧାନ ଦିଗରେ ପଦକ୍ଷେପ ନେବେ କି ବୋଲି ବିଜେପି ପ୍ରଶ୍ନ କରିଛି ।