ଭୁବନେଶ୍ୱର : ଆଜି 9 ଟି ଆଦିବାସୀ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ 5ଟି ସଚିବ ଭି.କେ ପାଣ୍ଡିଆନ ଆଭାଷୀ ମାଧ୍ୟମରେ ଆଲୋଚନା କରିଛନ୍ତି। ଏହି ବୈଠକରେ 9ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ପରିଷଦର ଜିଲ୍ଲା ଅଧ୍ୟକ୍ଷଙ୍କ ସହ 5ଟି ସଚିବ ଆଲୋଚନା କରିଛନ୍ତି ।
ଆଲୋଚନା ସମୟରେ ପାଣ୍ଡିଆନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ତଥା ଦୃଷ୍ଟିକୋଣ ସମ୍ପର୍କରେ ସଦସ୍ୟମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ସେ କହିଥିଲେ ଯେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଗଠନ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଐତିହାସିକ ପଦକ୍ଷେପ ।
ଆଦିବାସୀଙ୍କ ଭାଷା ସ୍ୱତନ୍ତ୍ର, ସେମାନଙ୍କ କଳା ସ୍ୱତନ୍ତ୍ର । ତେଣୁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ ସେମାନଙ୍କ ସଂସ୍କୃତିର ସଂରକ୍ଷଣ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ବୋଲି 5ଟି ସଚିବ କହିଥିଲେ । ଏହାର ରକ୍ଷଣାବେକ୍ଷଣ ସହ ଏହାର ସ୍ୱତନ୍ତ୍ରତା ବଜାୟ ରଖି ପାରିଲେ ଏହା ଆଗାମୀ ପିଢି ପାଇଁ ପ୍ରେରଣା ସୃଷ୍ଟି କରିବ ବୋଲି 5ଟି ସଚିବ କହିଥିଲେ। ତେଣୁ ଆଦିବାସୀ ସଂସ୍କୃତିର ସ୍ୱତନ୍ତ୍ରତା ବଜାୟ ରଖିବା ପାଇଁ ପରିଷଦର ପ୍ରତ୍ୟେକଟି ଅର୍ଥ ବିନିଯୋଗ ଉପରେ ପାଣ୍ଡିଆନ ଗୁରୁତ୍ଵ ଦେଇଥିଲେ ।
ଜନଜାତି ସାଂସ୍କୃତିର ପ୍ରଚାର ପ୍ରସାର ପାଇଁ ସ୍ବତନ୍ତ୍ର ଭାବେ ଏକ ‘ଜନଜାତି ସାଂସ୍କୃତିକ କ୍ୟାଲେଣ୍ଡର’ ପ୍ରସ୍ତୁତ କରିବା ପାଇଁ ପରିଷଦକୁ ପରାମର୍ଶ ଦେଇଥିଲେ । କ୍ୟାଲେଣ୍ଡରରେ ଜନଜାତି ସମୁଦାୟଙ୍କ ପର୍ବପର୍ବାଣୀ, ଜନଜାତି କ୍ରୀଡା କାର୍ଯ୍ୟକ୍ରମ, ଆଦିବାସୀ ମହୋତ୍ସବ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ତଥ୍ୟ ଉଲ୍ଲେଖ କରାଯିବ ।
ଏହି ଆଲୋଚନା ସମୟରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 175.5 କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର କରିଛନ୍ତି ବୋଲି ପାଣ୍ଡିଆନ ସୂଚନା ଦେଇଥିଲେ।
ଆଭାଷୀ ଆଲୋଚନାରେ ଯୋଗ ଦେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗୀୟ କମିଶନର୍ ଶ୍ରୀମତି ରୂପା ରୋଶନ ସାହୁ କହିଥିଲେ ଯେ ଜନଜାତି ସଂସ୍କୃତି ଓ ପରମ୍ପରାର ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପବିତ୍ର ପୂଜା ସ୍ଥଳୀର ନିର୍ମାଣ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଜଡିତ ବିଭିନ୍ନ ସାଂସ୍କୃତିକ ସଂଗଠନ ଗୁଡିକୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେବା, ସେମାନଙ୍କୁ ନୃତ୍ୟ ପୋଷାକ ସହ ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ର ଯୋଗାଇଦେବା ଆଦି କାର୍ଯ୍ୟକୁ ପରିଷଦ ସୂଚାରୁରୁପେ ତୁଲାଉଥିବା ବିଷୟରେ ସେ ସୂଚନା ଦେଇଛନ୍ତି ।
ଅନୁସୂଚିତ ଜନଜାତି ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ଉପସ୍ଥିତ ଥିବା ସହ 9 ଟି ଆଦିବାସୀ ବହୁଳ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ଥିଲେ। ଏହି ସବୁ ଜିଲ୍ଲାର ଜନଜାତି ଗୋଷ୍ଠୀ ଏହି ଆଲୋଚନାରେ ଭାଗ ନେଇଥିଲେ । ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସହାୟତାରେ ସେମାନଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ସୁବିଧା ଓ ଆର୍ଥିକ ପ୍ରୋତ୍ସୋହନର ସଫଳ କାହାଣୀ ବିଷୟରେ 5ଟି ସଚିବଙ୍କୁ ଅବଗତ କରାଇଥିଲେ ।