ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ସୋମବାର ଲକ୍ଷ୍ମୀ ଯୋଜନାର ବସ୍ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ନିଃସ୍ୱାର୍ଥପର ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି । ଏହି ଆଲୋଚନାରେ ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ମ୍ୟାନେଜର ମାନଙ୍କୁ ମିଶାଇ ୬୫୦ ଜଣ କର୍ମଚାରୀ ଯୋଗ ଦେଇଥିଲେ ।
ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଂଚଳର ୬ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାରେ ବସ୍ ଚଳାଚଳ ଆରମ୍ଭ କରିବ । ଏହି ଜିଲ୍ଲା ଗୁଡିକ ହେଲା – ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ । ଚଳିତ ମାସ ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିବେ । ଲକ୍ଷ୍ମୀ ଯୋଜନାରେ ବସ୍ ଗୁଡିକ ପଂଚାୟତରୁ ବ୍ଲକ୍ ଓ ବ୍ଲକ୍ ରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲିବା ପାଇଁ ଯୋଜନା ରହିଛି । କର୍ମଚାରୀ ମାନଙ୍କୁ ସମ୍ବୋଧନ କରି ୫ଟି ସଚିବ ଶ୍ରୀ ପାଣ୍ଡିଆନ କହିଲେ ଯେ ଯୋଗାଯୋଗ ହେଉଛି ଅର୍ଥନୈତିକ ଓ ସାମାଜିକ ଉନ୍ନତିର ମୌଳିକ ଆଧାର । ତେଣୁ ଲୋକମାନଙ୍କୁ ଉଚ୍ଚମାନର ସେବା ଯୋଗାଇ ଦେବା ଆମର ପ୍ରଥମ ଦାୟିତ୍ୱ ହେବା ଉଚିତ । ଏହି ବସ୍ ଯୋଜନାରେ ଛୋଟ ପିଲା ଠାରୁ ଆରମ୍ଭ କରି ଚାଷୀ, ବ୍ୟବସାୟୀ, ମିଶନ ଶକ୍ତି ମା ମାନେ, ସମସ୍ତେ ଉପକୃତ ହେବେ । ସ୍କୁଲ କଲେଜର ପିଲାମାନେ ସେମାନଙ୍କ ଶିକ୍ଷାନୁଷ୍ଠାନକୁ ଯାଇପାରିବେ । ଚାଷୀ ତାର ଉତ୍ପାଦିତ ଦ୍ରଦ୍ୟକୁ ନେଇ ବଜାରରେ ବିକ୍ରିବଟା କରିପାରିବ । ବ୍ୟବସାୟୀମାନେ ସୁରୁଖୁରୁରେ ବ୍ୟବସାୟ କରିପାରିବେ । ରୋଗୀମାନେ ଡାକ୍ତରଖାନାରେ ସୁବିଧାରେ ପହଂଚିପାରିବେ । ମିଶନ ଶକ୍ତି ମା ମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ ପାଇଁ ଯାତାୟତ କରିବା ସହଜ ହେବ ।
ପାଣ୍ଡିଆନ ପୁଣି କହିଥିଲେ ଯେ, ଲକ୍ଷ୍ମୀ ସମୃଦ୍ଧିର ପ୍ରତୀକ । ତେଣୁ ଏହି ପରିବହନ ସେବା ଗାଁ ଗାଁରେ ସମୃଦ୍ଧି ଆଣିବ । ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରିବ । ଗ୍ରାମାଂଚଳ କ୍ଷେତ୍ରକୁ ରୂପାନ୍ତରିତ କରିବ । ତେଣୁ ବସ୍ ର କର୍ମଚାରୀ ମାନେ ଯାତ୍ରୀମାନଙ୍କୁ ସେମାନଙ୍କ ନିଜ ପରିବାରର ସଦସ୍ୟ ଭାବେ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ । ଏଥିରେ ସେ ୩-ଏସ୍ ଉପରେ ଗୁରୁତ୍ୱ ଦେଇଥିଲେ । ଏହି ତିନୋଟି ଏସ୍ ହେଲା – ସୁରକ୍ଷା, ସୁବିଧା ଓ ସମ୍ମାନ । ସମସ୍ତଙ୍କ ସୁରକ୍ଷା, ଯାତ୍ରୀଙ୍କ ସୁବିଧା ଓ ପ୍ରତ୍ୟେକ ଯେପରି ସମ୍ମାନର ସହିତ ଯାତାୟତ କରିବେ, ସେଥିପ୍ରତି ଧ୍ୟାନ ଦେବା ହେଉଛି କର୍ମଚାରୀ ମାନଙ୍କ କର୍ତବ୍ୟ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ ।