ଭୁବନେଶ୍ୱର : ଅନୁଗୁଳ ଡିଆଇଜି ବ୍ରିଜେଶ ରାୟଙ୍କୁ ବଦଳି କରାଯାଇଛି । ତାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ରାଜ୍ୟ ସରକାର । ମହିଳା ହୋମଗାର୍ଡଙ୍କୁ ଡିଆଇଜିଙ୍କ ପତ୍ନୀ ନିର୍ଯାତନା ଦେବା ଅଭିଯୋଗ ହୋଇଥିଲା ।
ସୂଚନାଯୋଗ୍ୟ ଯେ ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁ ଆଇପିଏସ୍ ଅଧିକାରୀ ବ୍ରିଜେଶ କୁମାର ରାୟଙ୍କ ଘରୋଇ କାମରେ ନିୟୋଜିତ ହୋଇଥିଲେ ।କୌଣସି କାମରେ ଟିକେ ଭୁଲ ହେଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ମାଡ଼ ମାରନ୍ତି ଏବଂ ଚାକିରି ନେଇଯିବାର ଧମକ ମଧ୍ୟ ଦିଅନ୍ତି । ଗଲା ୪ ତାରିଖରେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଗଳା ଧକ୍କା ଦେଇ ଘରୁ ବାହାର କରି ଦେଇଥିଲେ । ଏଥିପାଇଁ ସେ ଆତ୍ମହତ୍ୟା ଉଦ୍ୟମ କରି ଦୁଇ ଗୋଡ ହରାଇଥିବା ନେଇ ଅଭିଯୋଗ କରିଥିଲେ । ଅପରପକ୍ଷରେ ଡିଆଇଜି ବ୍ରିଜେଶ ରାୟ କହିଥିଲେ ମହିଳା ହୋମଗାର୍ଡ ତାଙ୍କ ପାରିବାରିକ ସମସ୍ୟା ଯୋଗୁଁ ଅନ୍ୟମନସ୍କ ରହୁଥିଲେ । ତେଣୁ ତାଙ୍କୁ ଅନ୍ୟତ୍ର କାମ କରିବା ପାଇଁ ମଧ୍ୟ କୁହାଯାଇଥିଲା । ତାଙ୍କୁ କେହି ଉସକାଇଥାଇପାରନ୍ତି । କୌଣସି ପ୍ରକାରର ନିର୍ଯାତନା ଦିଆଯାଇନଥିଲା ।
ଅନ୍ୟପକ୍ଷରେ ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲାରେ ଜାତୀୟ ମାନବାଧିକାର କମିଶନରେ ଲିଖିତ ଅଭିଯୋଗ କରିଛନ୍ତି ମାନବାଧିକାର କର୍ମୀ ଜୟନ୍ତ ଦାସ ।