ନୂଆଦିଲ୍ଲୀ : ଲଦ୍ଦାଖ ରାସ୍ତାରେ ରାହୁଲ ଗାନ୍ଧିଙ୍କ ବାଇକ ରାଲିକୁ ନେଇ ରାହୁଲଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆରେ ଟ୍ୱିଟ ଯୋଗେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କଟାକ୍ଷ କରି କହିଛନ୍ତି ଯେ, ଲାଲଚୌକରେ ରାହୁଲ ଗାନ୍ଧି ଓ କଂଗ୍ରେସ ନେତାମାନେ ବିନା ଭୟରେ ତ୍ରିରଙ୍ଗା ଉଡାଇବା ଓ ମୋଦି ସରକାର ଅମଳରେ ଲଦ୍ଦାଖରେ ତିଆରି ହୋଇଥିବା ଚକାଚକ୍ ରାସ୍ତାରେ ଆରାମରେ ବାଇକ ରେସର ମଜା ନେଉଥିବା ଦେଖି ଖୁସି ଲାଗୁଛି । ସମସ୍ତଙ୍କ ଜୀବନରେ ଆନନ୍ଦ ଆସୁ, ଏଥିପାଇଁ ଦେଶବାସୀ ମୋଦିଜୀଙ୍କୁ ବାଛିଥିଲେ । 2014 ପୂର୍ବରୁ କିଏ ଭାବିଥିଲା ଯେ, ରାହୁଲ ଗାନ୍ଧି ଲାଲଚୌକରେ ଭାରତ ମାତାର ଧ୍ୱଜା ଉଡାଇପାରିବେ ଏବଂ ଯେଉଁ ଲଦ୍ଦାଖକୁ ପଣ୍ଡିତ ନେହେରୁ ମରୁଭୂମି କହିଥିଲେ, ତାକୁ ପର୍ଯ୍ୟଟକମାନେ ଉପଭୋଗ କରିବାର ସୁଯୋଗ ପାଇବେ । ଏହାସହ କେନ୍ଦ୍ରମନ୍ତ୍ରୀ କଂଗ୍ରେସକୁ ଚାଲେଞ୍ଜ କରିଛନ୍ତି 2014 ପୂର୍ବରୁ ଏଭଳି କିଛି ଫଟୋ ଦେଖାଇ ପାରିବେ କି ଯେଉଁଥିରେ ରାହୁଲ ଗାନ୍ଧି ଲାଲଚୌକରେ ତ୍ରିରଙ୍ଗା ଉଡାଉଥିବେ କିମ୍ବା ଲଦ୍ଦାଖରେ ଏଭଳି ଆରାମରେ ବୁଲୁଥିବେ ! ଏଥିପାଇଁ କଂଗ୍ରେସ ମୋଦିଜୀଙ୍କୁ ଧନ୍ୟବାଦ ଦେବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।