ଭଦ୍ରକ, ୧ ଅକ୍ଟୋବର – ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ନେଇ ଉତେଜନା ଘଟଣା ପରେ ଏବେ କ୍ରମଶଃ ଭଦ୍ରକକୁ ଶାନ୍ତି ଫେରୁଛି । ସ୍ଥିତି ପୂର୍ବବତ୍ ସ୍ଵାଭାବିକ୍ ହେବାରେ ଲାଗିଛି । ସ୍ଥିତିର ସମୀକ୍ଷା ପାଇଁ ଆଜି ଭଦ୍ରକ ଗସ୍ତରେ ଆସିଛନ୍ତି ପୋଲିସ ଡିଜି ୱାଇ.ବି. ଖୁରାନିଆ । ସେ ପ୍ରଥମେ ଧାମନଗରରେ ପହଂଚି ଧାମନଗର ଥାନାରେ ପୋଲିସର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ସମୟରେ ସେଠାରେ ପୂର୍ବାଚଂଳ ଡିଆଇଜି ଡଃ. ସତ୍ୟଜିତ ନାୟକ ଓ ଭଦ୍ରକ ଏସପି ବରୁଣ ଗୁଣ୍ଠୁପାଲି ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଡିଜିପି ଦିନ ୧୨ଟାରେ ଆଉ ଏକ ସମୀକ୍ଷା ବୈଠକରେ ଯୋଗଦେବେ ।
ଅନ୍ୟପକ୍ଷରେ ଘଟଣାରେ ବର୍ତମାନ ସୁଦ୍ଧା ଗିରଫଙ୍କ ସଂଖ୍ୟା ୨୭ରେ ପହଂଚିଲାଣି । ଭଦ୍ରକରୁ ୧୦ ଜଣ ଓ ଧାମନଗର ଥାନା ଅଂଚଳରୁ ୧୭ ଜଣଙ୍କୁ ଗିରଫ କରାଯାଇଛି । ଭଦ୍ରକର ପୁରୁଣାବଜାର, ଧାମନଗର ବିଜ୍ଞାପିତ ଅଂଚଳ ଏବଂ ଧାମନଗରର ଦୋବଲ ଓ ଏହାର ଆଖପାଖ ଅଂଚଳରେ ଧାରା ୧୬୩ ବଳବତର ରହିଛି । ହେଲେ ଏସବୁ ଅଂଚଳରେ ସକାଳ ୬ଟା ଠାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି । କିନ୍ତୁ ଜିଲ୍ଲାରେ ମୋବାଇଲ୍ ଇଂଟରନେଟ୍ ସେବା ପୂର୍ବଭଳି ବନ୍ଦ ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକର ପୁରୁଣା ବଜାରରେ ୧୨ ପ୍ଲାଟୁନ୍ ଫୋର୍ସ ଓ ୧ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ । ଧାମନଗରରେ ୬ ପ୍ଲାଟୁନ୍ ଫୋର୍ସ ସହିତ ୧ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ଅଛନ୍ତି । ସ୍ଥିତିକୁ ଦେଖି କୋହଳ କରାଯାଉଛି କଟକଣା । ସମ୍ବେଦନଶୀଳ ସ୍ଥାନ ଗୁଡିକ ଉପରେ ତୀକ୍ଷ୍ନ ନଜର ରଖିଛି ପୋଲିସ ।
ପ୍ରକାଶ ଥାଉକି, ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ନେଇ ମୁଖ୍ୟ ଅଭିଯୁକ୍ତର ଗିରଫ ଦାବିରେ ସେପ୍ଟେମ୍ବର ୨୭ ତାରିଖରେ ଭଦ୍ରକ ପୁରୁଣାବଜାର ଥାନା ଅନ୍ତର୍ଗତ ନଙ୍ଗାମହଲା ଅଂଚଳର ସନ୍ଥିଆ ପୋଲ ନିକଟରେ ଏକ ସଂଖ୍ୟାଲଘୁ ଗୋଷ୍ଠିର ଶତାଧିକ ଲୋକ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ଘଟଣା ପରେ ଜିଲ୍ଲାରେ ଇଂଟରନେଟ୍ ସେବାକୁ ବନ୍ଦ ରଖାଯାଇଛି । ରାପିଡ୍ ଆକ୍ସନ ଫୋର୍ସ ଓ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ ସହିତ ନିୟମିତ ପାଟ୍ରୋଲିଂ ଓ ବ୍ଲକିଂ କରାଯାଉଛି ।