ସୋନପୁର : ଭାରତୀୟ ସଂରକ୍ଷିତ ବାହିନୀ ସିପାହୀ ସଚିନ କୁମାର ସାହୁଙ୍କ ୩୪ ବର୍ଷ ବୟସରେ ପରଲୋକ ଘଟିଛି । ଏ ଖବର ପ୍ରସାରିତ ହେବା ପରେ ସୋନପୁର ମଝିପଡ଼ା ସହିତ ସହର ସାରା ଶୋକର ଛାୟା ଖେଳିଯାଇଛି । ସିପାହୀ ସଚିନ ଦୀର୍ଘ ୨୦ ଦିନ ଧରି ବୁର୍ଲା ଭୀମସାର ମେଡିକାଲ ଓ କଟକ ବଡ଼ ମେଡିକାଲରେ କାମଳ ରୋଗରେ ଚିକିତ୍ସିତ ହୋଇ ଆସୁଥିବାବେଳେ ଆଜି ଭୋର୍ ସମୟରେ ତାଙ୍କ ପ୍ରାଣବାୟୁ ଚାଲିଯାଇଛି । ଶ୍ରୀ ସାହୁ ୨୦୦୯ରୁ ରାଉରକେଲା ଠାରେ ଇଣ୍ଡିଆନ ରିଜର୍ଭ ବାଟେଲିଆନରେ ଯୋଗଦାନ କରି ବର୍ତମାନ ଦେବଗଡ଼ ଜିଲ୍ଲାରେ ରହି ଦେଶ ତଥା ମା ମାଟି ପାଇଁ ସେବା କରି ଆସୁଥିଲେ । ଆଜି ସଚିନଙ୍କ ମର ଶରୀର ସୋନପୁର ମଝିପଡ଼ା ବାସ ଭବନକୁ ପହଂଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ରାମଧୁନ କ୍ଳବ୍ର ସଦସ୍ୟ ତଥା ସହରର ୫୦୦ରୁ ଉର୍ଦ୍ଧ ଲୋକ ସଚିନଙ୍କ ମର ଶରୀରକୁ ଅନ୍ତିମ ଦର୍ଶନ କରି ଏକ ବିରାଟ ଶୋଭଯାତ୍ରାରେ ରାମେଶ୍ୱର ଶ୍ମସାନ ଘାଟକୁ ନେଇଥିଲେ । ସଚିନଙ୍କ ଏକ ଦୁଇ ବର୍ଷର କୁନି ଝିଅ ଥିବା ସୂଚନା ମିଳିଛି । ଆଜି ରାମେଶ୍ୱର ସ୍ମଶାନ ଘାଟରେ ସଚିନଙ୍କ ଅନ୍ତିମ ସଂସ୍କାର କରାଯାଇଥିବାବେଳେ ପିତା ପ୍ରଦୀପ ସାହୁ ପୁଅକୁ ମୁଖାଗ୍ନି ଦେଇଥିଲେ । ପ୍ରାକ୍ତନ ନଗରପାଳ କଇରୁ ସ୍ୱାଇଁ, ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପୀୟୂଷ ପଣ୍ଡା, ବିକାଶ ପଣ୍ଡା, ଜଗତ ବନ୍ଧୁ ତ୍ରିପାଠୀ, ହରି ସାହୁ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀଙ୍କ ସମେତ ସହରର ଅନେକ ମାନ୍ୟ ଗନ୍ୟ ବ୍ୟକ୍ତି ସଚୀନ ଙ୍କ ସଂସ୍କାର କାର୍ଯ୍ୟ ରେ ଯୋଗଦାନ କରିଥିଲେ । ପ୍ରକାଶ ଥାଉକି ସ୍ୱର୍ଗୀୟ ସଚିନ ରାମଧୁନ ଫୁଟବଲ ଦଳର ଜଣେ ଶ୍ରେଷ୍ଠ ଗୋଲ କିପର ଭାବେ ଖ୍ୟାତି ଅର୍ଜନ କରି ଦଳକୁ ରାଜ୍ୟର ଅନେକ ସ୍ଥାନ ରେ ଚମ୍ପିୟାନ କରିବାରେ ପ୍ରମୁଖ ଭୂମିକା ନେଇଥିଲେ । ରାମଧୁନ କ୍ଳବ୍ର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ସବୁ କାମରେ ଯୋଗଦାନ କରୁଥିଲେ ।