ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟ୍ରେଲ ଗ୍ରାମପଞ୍ଚାୟତ ଅଧିନସ୍ଥ ଗଙ୍ଗଲାଗୁଡ଼ା ଗ୍ରାମରେ ଉତ୍କଳ ସମ୍ମିଳନୀ ମାଲକାନଗିରି ଶାଖା ତରଫରୁ ଆଜି ଗାଁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ମାଲକାନଗିରି ଜିଲ୍ଲା ଶାଖାର ସଭାପତି ତଥା ସ୍ଥାନୀୟ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଡଃ. ରଞ୍ଜନ କୁମାର ସ୍ଵାଇଁ, ଉତ୍କଳ ସମ୍ମିଳନୀର ଆଜୀବନ ସଦସ୍ୟ ତଥା ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ମାଲକାନଗିରିର ସଭାପତି ରବୀନ୍ଦ୍ର କୁମାର ମହାରଣା, ବନପାଳ ସାରୁ କବାସୀ, ପ୍ରଧାନଶିକ୍ଷୟିତ୍ରୀ ଅମିତା ଦେଇ, ସହକାରୀ ଶିକ୍ଷୟିତ୍ରୀ ରମଳା ମାଡ଼କାମି ଯୋଗଦାନ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉତ୍କଳ ସମ୍ମିଳନୀ ମାଲକାନଗିରି ଶାଖା,ବନବିଭାଗ ମାଲକାନଗିରି ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗଙ୍ଗଲାଗୁଡ଼ାର ଜାତୀୟ ସବୁଜ ବାହିନୀ ଆନୁକୁଲ୍ୟରେ ବିଦ୍ୟାଳୟ ପରିସର ମଧ୍ୟରେ ତିରିଶିରୁ ଉର୍ଦ୍ଧ୍ଵ ଅଳା,ବଉଳ, କରଞ୍ଜ, ନିମ, ଆତ, ସଜନା, ଚମ୍ପା, ପେସ୍ତା ପ୍ରଭୃତି ବୃକ୍ଷରୋପଣ କରାଯାଇଥିଲା। ପରେ ବିଦ୍ୟାଳୟରେ ଉପସ୍ଥିତ ଥିବା ୪୬ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଚନ୍ଦ୍ର ମାଡି, ସୁବାସ ପଡ଼ିଆମି, ଦଶରଥ ମାଢି, ଗ୍ରାମବାସୀ ଶିକ୍ଷୟିତ୍ରୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଵାଗତ ସମ୍ବର୍ଦ୍ଧନା ପରେ ଉତ୍କଳ ସମ୍ମିଳନୀର ସଭାପତି ତଥା ଜିଲ୍ଲା ଯୁବ ରେଡକ୍ରସର ଆବାହକ ଡଃ. ସ୍ଵାଇଁ ସମସ୍ତଙ୍କୁ ବୃକ୍ଷରୋପଣର ଆବଶ୍ୟକତା, ସ୍ଵାସ୍ଥ୍ୟ ପରିମଳ, ପରିଷ୍କାର ପରିଚ୍ଛନ୍ନତା, ରୋଗ ନିରାକରଣ ନିମନ୍ତେ ଗାଁ ଗହଳରେ ବିନାମୂଲ୍ୟରେ ବାଡ଼ିବଗିଚାରେ ମିଳୁଥିବା ପନିପରିବାର ସଦୁପଯୋଗ କରିବା ପାଇଁ ସଚେତନ କରାଇଥିଲେ। ଅବସରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ସରସ୍ଵତୀ ଶିଶୁ ମନ୍ଦିର ସଭାପତି ରବୀନ୍ଦ୍ର କୁମାର ମହାରଣା ବିଶ୍ଵତାପନ ଓ ପରିବେଶର ସୁରକ୍ଷା ବର୍ତମାନ ଯୁଗରେ ଶିକ୍ଷାର ଆବଶ୍ୟକତା, ଶିକ୍ଷାଗ୍ରହଣ ପାଇଁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ପରିଶେଷରେ ପ୍ରଧାନଶିକ୍ଷୟିତ୍ରୀ ଅମିତାଦେଇ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରତ୍ୟେକ ମାସରେ ଉତ୍କଳ ସମ୍ମିଳନୀ ମାଲକାନଗିରି ଶାଖା ତରଫରୁ ଜିଲ୍ଲାରେ ଅବହେଳିତ ଓ ଅନଗ୍ରସର ଆଦିବାସୀ ଅଧ୍ୟୁଷିତ ଗୋଟିଏ ଗ୍ରାମରେ ” ଗାଁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଜୁନ ମାସ ଠାରୁ ଆରମ୍ଭ କରାଯାଇଛି ।