ଗଞ୍ଜାମ : ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ତିନି ଦିନିଆ ଗଞ୍ଜାମ ଗସ୍ତର ଆଜି ଦ୍ଵିତୀୟ ଦିନ । ଦ୍ଵିତୀୟ ଦିନରେ ଭଞ୍ଜନଗର, ସୋରଡ଼ା ଓ ଆସିକାରେ ତାଙ୍କର କାର୍ଯ୍ୟକ୍ରମ ରହିଛି । ତେବେ ଗତକାଲି ଅପରାହ୍ନରେ ଅଚାନକ ଫାଇଭ-ଟି ସଚିବଙ୍କ ଗଜପତି ଜିଲ୍ଲା ଗସ୍ତକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି । ଅନ୍ୟପକ୍ଷରେ ଗତକାଲି ବ୍ରହ୍ମପୁରର ଲାଞ୍ଜିପଲ୍ଲୀ-ଖଜୁରିଆ ରାସ୍ତାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କାର୍ କୁ ଆକ୍ରମଣ ତଥା ବିଜେଡ଼ି କର୍ମୀ ଓ ପ୍ରଦୀପ ସେନାର କର୍ମୀ ମୁହାଁମୁହିଁ ହେବା ଘଟଣାକୁ ନେଇ ଜିଲ୍ଲା ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ବିଜେଡ଼ି କର୍ମୀ ମାନେ ପ୍ରଦୀପଙ୍କ କାର୍ ଉପରକୁ ପଥର, କାଚ ବୋତଲ ଏବଂ ଅଣ୍ଡା ଫିଙ୍ଗି ଥିଲେ । ଏହି ସମୟରେ ପ୍ରଦୀପ କାର୍ ଭିତରେ ଥାଇ ଓଡ଼ିଶା ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି ଏବଂ ବ୍ରହ୍ମପୁର ଏସପିଙ୍କୁ ଫୋନ୍ ମାଧ୍ୟମରେ ମେସେଜ୍ ଦେଇଥିଲେ ମଧ୍ୟ ଦୀର୍ଘ ସମୟ ବ୍ୟବଧାନରେ ପୋଲିସ ସେଠାରେ ପହଂଚି ପ୍ରଦୀପଙ୍କ ଗାଡିକୁ ଏସକର୍ଟ ଦେଇ ନେଇଥିଲେ ।
ପ୍ରକାଶ ଥାଉକି, ଗତକାଲି ଗଞ୍ଜାମ ଗସ୍ତର ପ୍ରଥମ ଦିନରେ ଫାଇଭ-ଟି ସଚିବ ଶାଳିଆ ଡ୍ୟାମ୍ ଓ ଏହାର ଆଖପାଖ ଅଂଚଳ ବୁଲି ଦେଖିବା ସହ ଏହାର ବିକାଶ ପାଇଁ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ମିଶନ ଶକ୍ତି କାଫେ ପରିଦର୍ଶନ କରିଥିଲେ । ଫାଇଭ୍-ଟି ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।