ବଲାଙ୍ଗିର : ବଲାଙ୍ଗିରରେ ସାଇବର ନିରାପତ୍ତା ଅଭିଯାନ- ୨୦୨୩ ସ୍ଥାନୀୟ କୋଶଳ କଳା ମଣ୍ଡଲ ପଡିଆ ଠାରେ ଅନୁଷ୍ଠିତ ହେଇଛି । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜିଲ୍ଲାପରିଷଦ ଚେୟାରମ୍ୟାନ ଦେବକୀ ସାହୁ, ମ୍ୟୁନିସିପାଲିଟି ଚେୟାରମ୍ୟାନ ଶ୍ରୀମତୀ ଲିକା ସାହୁ, ଜିଲ୍ଲା ଜଜ ଲଲାଟେନ୍ଦୁ ଜେନା, ଆରକ୍ଷୀ ଅଧିକ୍ଷକ ଖିଲାରି ଋଷିକେଶ ଦ୍ୟାନଦେଓ, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ନାୟକ, ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ କୁଳପତି ଡ. ଊମାବଲଭ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ସ୍ଵାଗତ ଭାଷଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ନାୟକ ଦେବା ସହ ସାଇବର ନିରାପତ୍ତା ଅଭିଯାନ- ୨୦୨୩ ବିଷୟରେ ବିବରଣୀ ଦେଇଥିଲେ । ମୁଖ୍ୟ ଅତିଥି ପତାକା ଦେଖେଇ ସାଇବର ନିରାପତ୍ତା ରଥର ଶୁଭାରମ୍ଭ କରିଥିଲେ । ପ୍ରଗତି ଏବଂ ଡିଜିଟାଲ ଯୁଗରେ ସାଇବର ନିରାପତ୍ତାର ମାହାତ୍ମ୍ୟ ଅନେକ । ଅନେକ ପ୍ରକାରର ଟଙ୍କା ଆଦାନ ପ୍ରଦାନକାରୀ, ଗେମିଂ, ଲୋନ ତଥା ସାମାଜିକ ଗଣମାଧ୍ୟମ ଭଳି ଆପ ଦ୍ଵାରା ଲୋକ ଠକାମିରେ ପଡ଼ୁଛନ୍ତି ଏବଂ ଟଙ୍କା ହରାଉଛନ୍ତି । ସାଇବର ସେବା ପ୍ରତି ଲୋକଙ୍କ କମ ଅଭିଜ୍ଞତା ଯୋଗୁଁ ଧନ ହାନି ଘଟୁଛି । ଏପରିକି ପ୍ରାଣ ହାନିର ମଧ୍ୟ ନଜିର ଅଛି । ଏହାର ପ୍ରତିକାର ସ୍ଵରୂପ ସାଇବର ନିରାପତ୍ତା ଅଭିଯାନର ରଥ ଲୋକଙ୍କୁ ଅନେକ ବିଷୟରେ ସଚେତନ କରେଇବ । ଏହାଦ୍ବାରା ଲୋକ ସଚେତନ ହେଇ ଅନ୍ୟମାନଙ୍କୁ ସଚେତନ କରେଇବେ । ଏହାସହ ୧୯୩୦ କିମ୍ବା ୧୧୨ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି ହୋଇଛି । ଏହା ସହାୟତାରେ ଠକାମିର ଶିକାର ହେଇଥିବା କିମ୍ବା ଠକାମିର ଆଭାସ ପାଇଥିବା ବ୍ୟକ୍ତି ଅଭିଯୋଗ ଦାଖଲ କରିପାରିବେ । ନିକଟସ୍ଥ ଥାନାରେ ମଧ୍ୟ ଏ ବିଷୟରେ ଅଭିଯୋଗ କରିପାରିବେ । “ଗୋଟିଏ ଲୋନ ଆପ” , “ଶିଶୁ ଅଶ୍ଳୀଳତା”କୁ ପାଥେୟ କରି ଦୁଇଟି ଭିଡିଓ ବାର୍ତ୍ତା ଦ୍ଵାରା ଲୋକଙ୍କୁ ସଚେତନ କରାଯିବ । ସାଇରା ନାମକ ମାସ୍କଟ କୁ ଡିଜାଇନ କରାଯାଇଛି, ଯାହା ଅଭିଯାନକୁ ପ୍ରତିନିଧିତ୍ଵ କରିବ । ଆଶାକର୍ମୀ, ମିଶନ ଶକ୍ତି ମହିଳା, ଅଙ୍ଗନବାଡି କର୍ମୀଙ୍କୁ ନେଇ ତୃଣମୂଳ ସ୍ତରରେ ଅଭିଯାନର ମୁଖ୍ୟ ସାଜିବେ । ଅନଲାଇନ, ଅଫଲାଇନ ଉଭୟ ମାଧ୍ୟମରେ ଏହାର ପ୍ରଚାର ପ୍ରସାର ହେବ । ବଲାଙ୍ଗିର ଜିଲ୍ଲାରେ ସାଇବର ନିରାପତ୍ତା ସଚେତନତା ପାଇଁ ଦୁଇଟି ସାଇବର ରଥ ବୁଲିବ । ଏହି ରଥ ଆସନ୍ତା ଅକ୍ଟୋବର ମାସ ୧୫ ତାରିଖ ଯାଏଁ ଜିଲ୍ଲାର ଭିଭିନ୍ନ ଅଞ୍ଚଳର ସ୍କୁଲ, କଲେଜ, ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ବୁଲିବ । ଏହି କାର୍ଯ୍ୟକ୍ରମମାନଙ୍କୁ ସ୍ଥାନୀୟ ଥାନାଧିକାରୀ ମାନେ ସଂଚାଳନ କରିବେ । ରଥରେ ବିଭିନ୍ନ ପ୍ରକାର ସଚେତନତା ଭିଡିଓ ପ୍ରଦର୍ଶିତ ହେବ । ଏଥିରେ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହେବ । କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବ । ସେହିଭଳି ପଥପ୍ରାନ୍ତ ନାଟକର ମାଧ୍ୟମରେ ସଚେତନତା କରାଯିବ କାର୍ଯ୍ୟକ୍ରମ ଅଛି ।
ଆଜି କାର୍ଯ୍ୟକ୍ରମ ଅନୁସାରେ ବିଭିନ୍ନ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ସାଇବର ଲେଖା ହେଇଥିବା ମଣିଷ ଶୃଙ୍ଖଳ ବନେଇଥିଲେ । ରୁକମଣ ବିଶ୍ଵାଳ ଗୀତ ଗାଈ ସଭାରେ ଉପସ୍ଥିତ ଜନସାଧାରଣଙ୍କ ମନୋରଞ୍ଜନ କରିଥିଲା ବେଳେ ସ୍ଥାନୀୟ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ ।