ଭୁବନେଶ୍ୱର, 21 ସେପ୍ଟେମ୍ବର – ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ସୁଧାଂଶୁ ପରିଡାଙ୍କ ଦ୍ୱାରା ହୋଇଥିବା ମହାଠକେଇ ହେଉଛି ୨୦୧୭ ରୁ ୨୦୨୦ ସମୟର । ଚାଷୀଙ୍କର କୋଟି କୋଟି ଟଙ୍କାର ସବସିଡି ହଡ଼ପ ନେଇ ଭିଜିଲାନ୍ସ ତଦନ୍ତରେ ସୁଧାଂଶୁ ପରିଡାଙ୍କ ସମ୍ପୃକ୍ତି ବିଷୟରେ ସ୍ପଷ୍ଟ ହେବା ପରେବି କାହିଁକି ସରକାର ଦୀର୍ଘ ଦିନ ଧରି ଚୁପ ବସିଥିଲେ? ବୋଲି ପ୍ରଶ୍ନ କରିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ।
ସୋସିଆଲ ସାଇଟ୍ ଏକ୍ସରେ ସେ ଲେଖିଛନ୍ତି ଯେ ଲୋକାୟୁକ୍ତଙ୍କ ରିପୋର୍ଟରେ ଅଭିଯୋଗ ପ୍ରମାଣିତ ହେବା ପରେ ବି କାହିଁକି ଗିରଫ ହୋଇନାହାନ୍ତି ବିଧାୟକ ସୁଧାଂଶୁ ପରିଡା? କେବେ ଚାଷୀମାନେ ହରାଇଥିବା ୩୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଫେରି ପାଇବେ? ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରେସ ରିଲିଜ କେବେ ଆସିବ?
ସ୍ୱଛ ଭାବମୂର୍ତିର ନାଟକ ଆଉ ଲୋକେ ବିଶ୍ୱାସ କରୁନାହାନ୍ତି । ବିଜୁ ଜନତା ଦଳରେ ୪୦ ଜଣ ବିଧାୟକଙ୍କ ନାଁରେ ସଙ୍ଗିନ ଅପରାଧିକ ମାମଲା ଅଛି । ସେମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ?
ଯେଉଁ ଗଣମାଧ୍ୟମ ରାଜ୍ୟରେ ଚାଲିଥିବା ଅଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିବ ତାଙ୍କୁ ମିଛ ମାମଲାରେ ଫସାଇ ଦିଆଯିବ । ଏହା ଓଡିଶାରେ ବାରମ୍ବାର ଘଟୁଛି । ଜଣେ ସଚିବଙ୍କୁ ସମାଲୋଚନା କରିବାରୁ ବିଜେଡିରେ ଦୁଇ ଦୁଇ ଜଣ ବିଧାୟକଙ୍କ ବିରୋଧରେ ମିଛ ମାମଲା ଓ କାର୍ଯ୍ୟାନୁଷ୍ଠାନ । ଏହା ହିଁ ସ୍ପଷ୍ଟ କରୁଛି ବିଜୁ ଜନତା ଦଳ ଭିତରେ ଥିବା ଅସହାୟତା ।