ଭୁବନେଶ୍ୱର : ଓଡିଶାରେ ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର ସ୍ପଷ୍ଟ ବାରି ହୋଇପଡୁଥିଲା ବେଳେ ରାଜ୍ୟ ସରକାର ମିଛ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଆତ୍ମବିଭୋର ହେଉଛନ୍ତି । ଓଡିଶାର ଗରୀବ ସାଧାରଣ ଲୋକଙ୍କ ସ୍ୱାର୍ଥ ଅପେକ୍ଷା ନିଜକୁ ବିଜ୍ଞପିତ କରିବା ବିଜେଡି ସରକାରଙ୍କ ପାଇଁ ପ୍ରାଥମିକତା ହେଉଛି । କିନ୍ତୁ, ଅନେକ ସମୟରେ ପ୍ରସୂତି ମହିଳା ରାସ୍ତାଘାଟ, ଅଟୋ, ଖଟ, ଭାରରେ ବୁହାହେବା ଓ ପ୍ରସବ କରିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି ବୋଲି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ କହିଛନ୍ତି ।
ଶ୍ରୀମତୀ ସାହୁ କହିଛନ୍ତି ଯେ, ଗତ ୨୦୧୮ ମସିହା ଅଗଷ୍ଟ ମାସରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରି ପରେ ପରବର୍ତୀ ସମୟରେ ବିଜୁ ସ୍ମାର୍ଟ କାର୍ଡ ବାଂଟିଥିଲେ । ଏଥିରେ ରାଜ୍ୟର ୭୦ଲକ୍ଷ ପରିବାର ଅର୍ଥାତ୍ ୩କୋଟି ୫୦ଲକ୍ଷ ଲୋକ ଉପକୃତ ହେବେ ବୋଲି ସରକାର ଯୁକ୍ତି ବାଢିଥିଲେ । କିନ୍ତୁ ଯୋଜନାର ୫ବର୍ଷ ପରେ ଏପର୍ଯ୍ୟନ୍ତ ୬୦ଲକ୍ଷ ପରିବାର ଏ ଯୋଜନାରେ ଉପକୃତ ହେଉଛନ୍ତି ଓ ରାଜ୍ୟ ସରକାର ମାସକୁ ୨୦୦କୋଟି ଟଙ୍କା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଖର୍ଚ୍ଚ କରୁଛନ୍ତି ବୋଲି ଯାହା ପ୍ରଚାର କରୁଛନ୍ତି ତାହା ଡାହା ମିଛ । ଏହି ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ୨୮ଲକ୍ଷ ଓଡିଶାବାସୀ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଉପକୃତ ହେଉଥିଲେ । ରାଜ୍ୟ ସରକାର କେତେ ରୋଗୀ, କେଉଁ କେଉଁ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି ଓ ଏହା ବାବଦରେ କେଉଁ କେଉଁ ବେସରକାରୀ ହସ୍ପିଟାଲକୁ କେତେ ଟଙ୍କା ଦିଆଯାଇଛି ଜିଲ୍ଲା ୱାରୀ ତଥ୍ୟ ପ୍ରଦାନ କରନ୍ତୁ ।
ରାଜ୍ୟ ସରକାର ୨୦୧୮ ମସିହାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୨୦୮ଟି ବେସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ । କିନ୍ତୁ ବିଧାନସଭା ତଥ୍ୟ ଅନୁଯାୟୀ ୧୮୩ଟି ବେସରକାରୀ ହସ୍ପିଟାଲରେ ଚିକିତ୍ସା ଉପଲବ୍ଧ ହେଉଛି । ରାଜ୍ୟ ଗ୍ରାମାଂଚଳର ପ୍ରାୟ ୩୩.୪୫ପ୍ରତିଶତ, ପ୍ରାୟ ୨୫ଲକ୍ଷ ଓଡିଆ ଲୋକ ବାହାରକୁ ଯାଇ କାମଧନ୍ଦା କରୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେବଳ ରାଜ୍ୟ ଭିତରେ ବାସ କରୁଥିବା ଓଡିଆ ମାନେ ଉପକୃତ ହେଉଥିବା ବେଳେ ରାଜ୍ୟ ବାହାରେ ସେମାନଙ୍କୁ କୌଣସି ମାଗଣା ଚିକିତ୍ସା ସୁବିଧା ମିଳୁନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।
ସାଧାରଣ ଗରିବ ଲୋକଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଆତ୍ମବଡିମା, ଆତ୍ମପ୍ରଚାର, ଅହଂକାର ଓ ହୀନ ରାଜନୀତି ପାଇଁ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାଁନ୍ତି । ଯାହାଫଳରେ ଓଡିଶାର ଜନସାଧାରଣ ଆୟୁଷ୍ମାନ ଭାରତ ଯୋଜନାରୁ ବଂଚିତ ହେବା ସହିତ ଓଡିଶା ବାହାରେ କାମ କରୁଥିବା ପ୍ରାୟ ୨୫ଲକ୍ଷ ଓଡିଆ ଏହି ଯୋଜନାର ସୁଫଳ ପାଇପାରୁନାହାଁନ୍ତି । ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନକରିବା ଦ୍ୱାରା ଓଡିଶା ଭଳି ଏକ ଗରୀବ ରାଜ୍ୟ ମାସକୁ ପ୍ରାୟ ୫୦କୋଟି, ବର୍ଷକୁ ପ୍ରାୟ ୬୦୦କୋଟି ହରାଇବା ବିଡମ୍ବନାର ବିଷୟ । ତେଣୁ ରାଜ୍ୟ ସରକାର ଗରୀବ ଓଡିଆଙ୍କ ସ୍ୱାର୍ଥ ପାଇଁ ଆୟୁଷ୍ମାନ ଯୋଜନାକୁ ତୁରନ୍ତ ଲାଗୁ କରିବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶ୍ୱେତପତ୍ର ଜାରି କରନ୍ତୁ ବୋଲି ଶ୍ରୀମତୀ ସାହୁ ଦାବୀ କରିଛନ୍ତି ।