କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ମଣ୍ଡୁଆସ୍ଥିତ ସଂସ୍କୃତି ଭବନରେ ସଦର ବ୍ଲକର ନିର୍ମାଣ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ରାଶି ବଂଟନ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଏକ ଉତ୍ସବରେ ଜିଲ୍ଲା ଶ୍ରମ ଅଧିକାରୀ ସୂର୍ଯ୍ୟନାରାୟଣ ମାଳୀ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ମାଣ ଶ୍ରମିକମାନଙ୍କ ପାଇଁ ସରକାର କାର୍ଯ୍ୟକାରୀ କରୁଥିବା ଯୋଜନାଗୁଡିକର ସୁଯୋଗ ନେବା ପାଇଁ ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ ଆହ୍ଵାନ ଜଣାଇଥିଲେ । ଓଡିଶାର ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନିର୍ମାଣ ଶ୍ରମିକମାନଙ୍କ କଲ୍ୟାଣ ସମିତି ନିମନ୍ତେ ରାଜ୍ୟସ୍ତରରେ କଲ୍ୟାଣ ପାଣ୍ଠି ଗଠନ କରାଯାଇଛି ଏବଂ ଏହାର ସୁପରିଚାଳନା ପାଇଁ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ସ୍ଥାପନ କରାଯାଇଥିବା ବେଳେ ସମସ୍ତ ନିର୍ମାଣ ଶ୍ରମିକମାନେ ପଞ୍ଜିକୃତ ହୋଇ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ନେବା ପାଇଁ ପରାମର୍ଶ ଦେଇଥିଲେ । ଓଡିଶା ଅଣସଂଗଠିତ ସାମାଜିକ ସୁରକ୍ଷା ବୋର୍ଡ ଅଧିନରେ ୫୦ ପ୍ରକାର ବର୍ଗର ଅଧିକ ଶ୍ରମିକମାନେ ଅର୍ନ୍ତଭୁକ୍ତ ହୋଇ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ ଆହ୍ଵାନ ଦେଇଛନ୍ତି । ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ସଦର ବିଧାୟକ ତଥା ବିରୋଧିଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଯୋଗଦେଇ ୧୮ ବର୍ଷରୁ ଉର୍ଦ୍ଧ୍ଵ ଏବଂ ୬୦ ବର୍ଷରୁ କମ୍ ବୟସର ସମସ୍ତ ନିର୍ମାଣ ଶ୍ରମିକ ନିଜ ନାମ ପଞ୍ଜିକରଣ କରିବାକୁ କହିଥିଲେ । ହାଟ, ବଜାର ଏବଂ ଗାଁରେ ସଚେତନତା ଶିବିର କରି ଅଧିକରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ପଞ୍ଜିକରଣ କରିପାରିବେ ସେ ଦିଗରେ ଶ୍ରମ ବିଭାଗ ଯତ୍ନବାନ ହେବାକୁ କହିଥିଲେ । କେନ୍ଦୁଝର ସଦର ଗୋଷ୍ଠି ଉନ୍ନୟନ ଅଧିକାରୀ ବିକାଶ ସାହୁ ନିର୍ମାଣ ଶ୍ରମିକଙ୍କ ପାଇଁ କଲ୍ୟାଣକାରୀ ଯୋଜନା ମଧ୍ୟରେ ଦୁର୍ଘଟଣାଜନିତ ସହାୟତା, ମୃତ୍ୟୁ କ୍ଷେତ୍ରରେ ସହାୟତା, ଅନ୍ତ୍ୟେଷ୍ଟିକ୍ରିୟା ସହାୟତା, ଶିକ୍ଷାବୃତି ସହାୟତା, ଚିକିତ୍ସା ସହାୟତା, ବିବାହ ସହାୟତା, ପ୍ରସୂତିକାଳୀନ ସହାୟତା ଆଦି ରହିଥିବାବେଳେ ସେମାନେ ଏହାର ସୁଯୋଗ ନେବାକୁ ଆହ୍ଵାନ ଦେଇଥିଲେ । ଜିଲ୍ଲା ପରିଷଦ ସଭ୍ୟ ରଥ ମୁଣ୍ଡା ନିର୍ମାଣ ଶ୍ରମିକମାନେ ଏହି ଯୋଜାନରେ କିପରି ଅଧିକରୁ ଅଧିକ ସାମିଲ ହେବେ ସେଥିପାଇଁ ଶ୍ରମ ବିଭାଗର ସହଯୋଗ କାମନା କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ସୂର୍ଯ୍ୟନାରାୟଣ ମାଳୀ ନିର୍ମାଣ ଶ୍ରମିକମାନଙ୍କର ସମାଜ ଗଠନରେ ମୁଖ୍ୟ ଭୂମିକା ରହିଛି ବୋଲି କହିଥିଲେ । ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ମିଳୁଥିବା ସେବାଗୁଡିକ ଏବେ ଅନ ଲାଇନରେ ପାଇପାରିବେ ବୋଲି କହିଥିଲେ ।
ଚମ୍ପୁଆ ସହ ଶ୍ରମ ଅଧିକାରୀ ବୃନ୍ଦାବନ ଜୁଆଙ୍ଗ ମଂଚ ପରିଚାଳନା କରଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ସୂର୍ଯ୍ୟ ନାରାୟଣ ମାଳୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅତିଥିମାନେ ସଦର ବ୍ଲକର ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ରାଶି ପ୍ରଦାନ କରିଥିଲେ । ୧୦ ଜଣଙ୍କୁ ଶିକ୍ଷା ସହାୟତା ବାବଦରେ ୧ ଲକ୍ଷ ୩୯ ହଜାର ୪୦୦ ଟଙ୍କା, ବିବାହ ସହାୟତା ୭୧ ଜଣ ହିତାଧିକାରୀଙ୍କୁ ୩୫ ଲକ୍ଷ ୨୫ ହଜାର ଟଙ୍କା, ପ୍ରସୂତିକାଳୀନ ସହାୟତା ବାବଦରେ ୯ ଜଣ ହିତାଧିକାରୀଙ୍କୁ ୯୦ ହଜାର ଟଙ୍କା, ମୃତ୍ୟୁକାଳୀନ ସହାୟତା ରାଶି ୮୬ ଜଣଙ୍କୁ ୧ କୋଟି ୬୬ ଲକ୍ଷ ଟଙ୍କା, ୭୫ ଜଣଙ୍କୁ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ବାବଦରେ ୩ ଲକ୍ଷ ୭୦ ହଜାର ଟଙ୍କା ସହାୟତା ରାଶି ବଂଟନ କରାଯାଇଛି । ମୋଟ ୨୫୧ ଜଣଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୨ କୋଟି ୭ଲକ୍ଷ ୨୪ ହଜାର ୪୦୦ ଟଙ୍କା ବଂଟନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ନିର୍ମାଣ ଶ୍ରମିକ ଯୋଗ ଦେଇଥିଲେ । କେନ୍ଦୁଝର ଶ୍ରମ କାର୍ଯ୍ୟାଳୟର ସହ ଶ୍ରମ ଅଧିକାରୀ ଭରତ କୁମାର ଦାସ, ମଙ୍ଗଳ ସଂଯୋଜିକା ରଶ୍ମିତା ଓଝା, କନିଷ୍ଠ ସହାୟକ ସୁଧାକର ବାରିକଙ୍କ ସମେତ ଶ୍ରମ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।