ଭୁବନେଶ୍ୱର : ଜୁଆଙ୍ଗ ଗ୍ରାମରେ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟିର ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରିଛନ୍ତି । ଏହି କମିଟିରେ ପ୍ରଦେଶ କଂଗ୍ରେସ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ବନ୍ଦିତା ପରିଡ଼ା ଅଧ୍ୟକ୍ଷା ଥିବାବେଳେ ପିସିିସି ସାଧାରଣ ସମ୍ପାଦକ ପଦ୍ମାକର ଗୁରୁ , ପିସିସି ସଭ୍ୟ ଭୁବନ ବିହାରୀ ସାହୁ, ପିସିସି ସମ୍ପାଦକ ଅଜିତ ଜେନା ସଭ୍ୟ ଭାବରେ ରହିଛନ୍ତି । ପ୍ରଦେଶ କଂଗ୍ରେସ ସଭାପତି ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି କମିଟି କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକର ଗୋନାସିକ ପଂଚାୟତ ଅନ୍ତର୍ଗତ ଜନ୍ତରା ଗ୍ରାମକୁ ଗସ୍ତ କରିବ । ପ୍ରକାଶଥାଉକି, ଗତ କିଛି ଦିନ ଭିତରେ ଜନ୍ତରା ଗ୍ରାମରେ ୧୧ ଜଣ ଜୁଆଙ୍ଗ ବ୍ୟକ୍ତି ଦୂଷିତ ପାଣି ପିଇ ମୃତ୍ୟୁବରଣ କରିଛନ୍ତି ବୋଲି ଖବର ପ୍ରକାଶିତ ହୋଇଛି । ଏହି ଘଟଣାର ପ୍ରକୃତ କାରଣ ଏବଂ କେଉଁ ପରିସ୍ଥିତିରେ ଏହି ଲୋକମାନେ ଦୂଷିତ ପାଣି ବ୍ୟବହାର କରୁଛନ୍ତି । ପ୍ରଦେଶ କଂଗ୍ରେସର ଏହି କମିଟି ଜିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡ଼ା ଏବଂ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର ଏବଂ ପିସିସି ସମ୍ପାଦକ ସଂଗ୍ରାମ ଦାସ ଙ୍କ ସହ ଯୋଗାଯୋଗ କରି ଜନ୍ତରାକୁ ଗ୍ରସ୍ତ କରିବେ । ଜନ୍ତରା ଗ୍ରସ୍ତର ୨୪ ଘଂଟା ମଧ୍ୟରେ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ଏହି କମିଟି ସବିଶେଷ ରିପୋର୍ଟ ପ୍ରଦାନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ପିସିସି ସଭାପତି ପଟ୍ଟନାୟକ ଅତ୍ୟନ୍ତ ମର୍ମାହତ ହୋଇ କହିଛନ୍ତି ଯେ କେନ୍ଦୁଝର ଜିଲ୍ଲା ରାଜ୍ୟର ସ୍ୱର୍ଣ୍ଣଗର୍ଭା ଜିଲ୍ଲା । ରାଜ୍ୟ ରାଜକୋଷକୁ ଏହି ଜିଲ୍ଲା ହଜାର ହଜାର କୋଟି ଟଙ୍କା ଦେଉଥିଲାବେଳେ ଜିଲ୍ଲାର ସାଧାରଣ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଏହି ୨୩ ବର୍ଷର ସରକାର ଯୋଗାଇ ଦେଇ ପାରିଲେ ନାହିଁ । ଲୋକମାନେ ବିଷାକ୍ତ ପାଣିକୁ ପିଉଛନ୍ତି । ରୋଷେଇ ଠାରୁ ଆରମ୍ଭ କରି ସମସ୍ତ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଫଳରେ ବିଭିନ୍ନ ଗୁରୁତର ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଛନ୍ତି । ଏହା ଏ ସରକାରଙ୍କର ଓଡ଼ିଶା ପ୍ରୀତିର ଆଉ ଏକ ଉଦାହରଣ ।