ଭୁବନେଶ୍ୱର : ଏକ ବର୍ଷ ପାଇଁ ୨୦ ହଜାର କନିଷ୍ଠ ଶିକ୍ଷକଙ୍କ ଠିକା ନିଯୁକ୍ତି ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ନିର୍ବାଚନକୁ ଆଖି ଆଗରେ ରଖି ସରକାରଙ୍କ ଏଭଳି ଘୋଷଣା ବୋଲି କଂଗ୍ରେସ ଅଭିଯୋଗ କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳର ମୁଖପାତ୍ର ପ୍ରଶାନ୍ତ ଶତପଥୀ, ରଜନୀ ମହାନ୍ତି ଓ କୃଷ୍ଣଚନ୍ଦ୍ର ପତି ଏହା କହିଛନ୍ତି ।
ସେମାନେ କହିଛନ୍ତି, କମ୍ପ୍ୟୁଟର ଆଧାରିତ ଟେଷ୍ଟ ହେଲେ ବ୍ୟାପକ ଦୁର୍ନୀତି ହେବ । ଏହି ୨୦ ହଜାର ସମେତ ରାଜ୍ୟରେ ଖାଲି ଥିବା ୯୨ ହାଜର ଶିକ୍ଷକ ପଦବୀରେ ସ୍ଥାୟୀ ନିଯୁକ୍ତି କରାଯାଉ ବୋଲି ଦାବି କରିଛି କଂଗ୍ରେସ ।
ସେମାନେ କହିଛନ୍ତି ଯେ କେନ୍ଦ୍ରର ଅଗ୍ନିବୀର ଭଳି ରାଜ୍ୟ ସରକାର ବିଦ୍ୟାବୀର ନିଯୁକ୍ତି କରିବାକୁ ନିଷ୍ପତି ନେଇଛନ୍ତି ସରକାର । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ସରକାର ଘୋଷଣା କରିଥିଲେ ଯେ ଠିକା ନିଯୁକ୍ତି ଉଚ୍ଛେଦ ହେଲା କିନ୍ତୁ ପୁଣି କାହିଁକି ଠିକା ନିଯୁକ୍ତି ଦେବେ ବୋଲି କହୁଛନ୍ତି । ରାଜ୍ୟର ଶିକ୍ଷା ବ୍ୟବସ୍ଥା ଧୂଳିସାତ ହେଲାଣି । ସ୍କୁଲରେ ଡ୍ରପ ଆଉଟ୍ ବଢୁଛି । ଖାଲି ଘର କାନ୍ଥରେ ୫ଟି ନାଁରେ ରଙ୍ଗ ବୋଲିଲେ ଶିକ୍ଷାର ବିକାଶ ହେବ ନାହିଁ । ତେଣୁ ତୁରନ୍ତ ରାଜ୍ୟ ସରକାର ୯୨ ହାଜର ଖାଲି ଥିବା ଶିକ୍ଷକ ପଦବୀକୁ ସ୍ଥାୟୀ ନିଯୁକ୍ତି ଦେଇ ପୂରଣ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଯଦି ଓଡ଼ିଶା ରାଜସ୍ୱ ବଳକା ରାଜ୍ୟ ତାହେଲେ କାହିଁକି ଯୁବକ ଯୁବତୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ନଦେଇ ଠିକା ନିଯୁକ୍ତି ଦିଆଯାଉଛି । ଚୁକ୍ତି ଭିତ୍ତିକ ଶିକ୍ଷକ ମାନଙ୍କୁ ନିର୍ଯାତନା ଦେଉଛନ୍ତି ରାଜ୍ୟ ସରକାର । ଦୀର୍ଘ ବର୍ଷ ଧରି ଶିକ୍ଷକ ପଦବୀ ଖାଲି ପଡିବା ଦ୍ୱାରା ଓଡ଼ିଶାର ଆଗାମୀ ପିଢ଼ିଙ୍କ ଭବିଷ୍ୟତ ବିପଦରେ ପଡ଼ିଛି । ୫ଟି ସଚିବଙ୍କ ହେଲିକପ୍ଟର ଗସ୍ତରେ ଶହ ଶହ କୋଟି ଖର୍ଚ୍ଚ ହେଉଛି ହେଲେ ଶିକ୍ଷା ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।