ପୁରୀ : ପୁରୀ କଂଗ୍ରେସ ପକ୍ଷରୁ ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ସମ୍ମୁଖରେ ବିଭିନ୍ନ ଦାବି ସମ୍ବଳିତ ପୋଷ୍ଟର ଧରି କଂଗ୍ରେସ କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଦାବୀମାନଙ୍କ ମଧ୍ୟରେ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନରୁ ଭକ୍ତମାନଙ୍କୁ ବଂଚିତ କରାନଯାଉ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରାନଯାଉ । ମହାପ୍ରଭୁଙ୍କୁ ଗୃହବନ୍ଦୀ ଭଳି ଅବସ୍ଥା ତୁରନ୍ତ ବନ୍ଦ କରାଯାଉ। ସୁରକ୍ଷା କର୍ମୀଙ୍କୁ ଆଚରଣ ବିଧି ଶିକ୍ଷା ଦିଆଯାଉ । ଜଗନ୍ନାଥ ମନ୍ଦିର ଚାରିଦ୍ଵାର ଭକ୍ତମାନଙ୍କ ଯିବାଆସିବା ନିମନ୍ତେ ଆଜିଠାରୁ ଖୋଲାରହୁ। ପ୍ରଶାସନ ଭକ୍ତମାନଙ୍କ ଉପରେ କରୁଥିବା ଅତ୍ୟାଚାର ଅବିଳମ୍ବେ ବନ୍ଦ କରୁ । ଦର୍ଶନ ପାଇଁ ଆସୁଥିବା ଭକ୍ତ ଜଗନ୍ନାଥ ମହାପ୍ରଭୁଙ୍କର ମଧ୍ୟ ଅତିଥି । ଅତିଥି ଦେବୋ ଭବଃ ନୀତି ପ୍ରଶାସନ ପାଳନ କରୁ । ମହିଳା ଭକ୍ତଙ୍କ ପାଇଁ ଚାରିଦ୍ଵାର ନିକଟରେ ସୁବିଧା କରାଯାଉ । ଶ୍ରୀ ଜଗନ୍ନାଥ ମନ୍ଦିର ଅବ୍ୟବସ୍ଥାକୁ ସୁଧାରି ନପାରିଲେ ରାଜ୍ଯ ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ ।
ଆଜିର କାର୍ଯ୍ୟକ୍ରମରେ ସୁଜିତ ମହାପାତ୍ରଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଦକ୍ଷିଣ ଦ୍ଵାର ଦେଇ ପ୍ରବେଶ ଉଦ୍ୟମ କରିଥିଲେ, ଯାହା ଉପସ୍ଥିତ ପୋଲିସ ବାହିନୀ ଦ୍ଵାରା ଅବରୋଧ କରାଯାଇଥିଲା ଓ ପ୍ରବେଶ କରିବାକୁ ଅବରୋଧ କରାଯିବା ଫଳରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଂପାଦକ ବିଶ୍ବନାଥ ଦାଶ ଓ ଅନ୍ୟମାନେ ତଳେ ବସି ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ ସହ ନାରାବାଜି କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଅମରେନ୍ଦ୍ର ପାଇକରାୟ, ରଜତ କୁମାର ସାହୁ, ସ୍ବାଧୀନ କୁମାର ପଣ୍ଡା, ଉମାକାନ୍ତ ବେହେରା, ପୁରୀ ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ଚେତନ ମିଶ୍ର, ପୁରୀ ସଦର ଯୁବ କଂଗ୍ରେସ ଉପସଭାପତି ମନୋଜ କୁମାର ବେହେରା, ଗୋପାଳକୃଷ୍ଣ ମହାପାତ୍ର, ସତ୍ୟବାଦୀ ଛାତ୍ର କଂଗ୍ରେସ ସଭାପତି ଆଦର୍ଶ ମିଶ୍ର, ପୁରୀ ସଦର ବିଧାନସଭା ଛାତ୍ର କଂଗ୍ରେସ ସଭାପତି ସୂର୍ଯ୍ୟକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।