ଭୁବନେଶ୍ୱର : ବାଚସ୍ପତି ନିର୍ବାଚନକୁ କଂଗ୍ରେସ ବୟକଟ କରୁଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି କଂଗ୍ରେସର କୌଣସି ବି ବିଧାୟକ ବାଚସ୍ପତି ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ । ନୂଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ପର୍ବ । ଦୁଇ ଦିନ ନୂଆଁଖାଇ ପାଳନ କରାଯାଇଥାଏ । ନୂଆଁଖାଇ ଓ ନୂଆଁଖାଇର ପରଦିନ ଏହି ପର୍ବ ପଶ୍ଚିମ ଓଡିଶାରେ ପାଳନ ହୋଇଥାଏ । ସେଥିପାଇଁ ଦୁଇ ଦିନ ଛୁଟି ହୋଇଥାଏ । ଦୁର୍ଭାଗ୍ୟର କଥା ହେଉଛି ରାଜ୍ୟ ସରକାର ଏଥର ବାଚସ୍ପତି ନିର୍ବାଚନ ପାଇଁ ୨୧ ତାରିଖରେ ବିଧାନସଭା ଡାକିଛନ୍ତି । ଏହା ପଶ୍ଚିମ ଓଡ଼ିଶା ପ୍ରତି ଉପହାସ । ରାଜ୍ୟ ସରକାର ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ନୂଆଖାଇରେ ଛୁଟି ନଦେଇ ପଶ୍ଚିମ ଓଡିଶାର ଭାବାବେଗ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର ।
ଅନ୍ୟପକ୍ଷରେ ଏହାର ଜବାବ୍ ରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ‘‘ ସେଇଟା ସଂସଦୀୟ ବ୍ୟାପାର ବିଭାଗ କଥା । ମୁଖ୍ୟମନ୍ତ୍ରୀଙ୍କୁ ସେ ଏ ବିଷୟରେ ନିହାତି ଅବଗତ କରିଥିବେ । ସେ ଯାହା ନିଷ୍ପତି ନେବେ ସେଇଟା ତାଙ୍କ ଅଧିକାର କ୍ଷେତ୍ରର କଥା । କିନ୍ତୁ ପଶ୍ଚିମ ଓଡ଼ିଶା ପ୍ରତି ସରକାର କେବେ ବି ବୈମାତୃକ ମନୋଭାବ ପୋଷଣ କରି ନାହାନ୍ତି । ପୂର୍ବ କିମ୍ବା ପଶ୍ଚିମ ଓଡ଼ିଶା କେବେ ଦେଖନ୍ତିନି ରାଜ୍ୟ ସରକାର । ବୈମାତୃକ ମନୋଭାବ ଅଭିଯୋଗ କେବେ ବି ଯୁକ୍ତିଯୁକ୍ତ କି ସ୍ୱୀକାରଯୋଗ୍ୟ ନୁହେଁ । ପଶ୍ଚିମ ଓଡିଶାକୁ ସବୁବେଳେ ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଇଛନ୍ତି ।