ଧର୍ମଶାଳା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ମୁତାବକ, ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ୩ୟ ଥର ପାଇଁ ଯାଜପୁର ଜିଲା ଗସ୍ତରେ ଆସିଛନ୍ତି । ଆଜି ସକାଳେ ହେଲିକ୍ୟାପ୍ଟରରେ ଆସି ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ବ୍ରହ୍ମବରଦାସ୍ଥିତ ହାଜିରହିମିଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ଜନ ଅଭିଯୋଗ ଓ ବିିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ତାଙ୍କର ଏହି ବ୍ୟୟ ବହୁଳ ଗସ୍ତକୁ ବରୀ କଂଗ୍ରେସ ଓ ବିଜେପି ପକ୍ଷରୁ ପୃଥକ ପୃଥକ ସ୍ଥାନରେ ଘୋର ବିରୋଧ କରାଯାଇଛି । ଆଜି ସେ ଆସିବା ପୂର୍ବରୁ ବରୀ କଂଗ୍ରେସ ନେତ୍ରୀ ଆରତୀ ଦେଓଙ୍କ ନେତୃତ୍ଵରେ ଶତାଧିକ ମହିଳା ପୁରୁଷ କର୍ମୀମାନେ ଏକତ୍ର ହୋଇ ବ୍ରହ୍ମବରଦା ବ୍ୟାଙ୍କ ଛକ ନିକକଟରେ ସାମିଲ ହୋଇ କଳା ପୋଷାକ ସହ ରିବନ ବାନ୍ଧି ପ୍ରତିବାଦ ଜଣାଇଥିଲେ । ଏଠି ଅମଲା ଶାସନ ଚାଲିଛି । ସଚିବ ହୋଇ ସଚିବ ଭଳି ରହନ୍ତୁ । ନେତାମନ୍ତ୍ରୀଙ୍କ କାମ ସେ ନ କରନ୍ତୁ ବୋଲି ଦାବି କରିଥିଲେ । ପରେ ସେମାନେ ଏଠାରୁ ବାହାରି ବିଭିନ୍ନ ଛକ ପରିକ୍ରମା କରି ସଭାସ୍ଥଳକୁ ଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇ ଥିଲା । କିଛି ସମୟ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବୁଝାଶୁଝା ପରେ ଘଟଣା ଶାନ୍ତ ପଡିଥିଲା ।
ଅନ୍ୟପକ୍ଷରେ ବରୀ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଫାଇଭ-ଟି ସଚିବଙ୍କ ଗସ୍ତକୁ ଘୋର ବିରୋଧ କରାଯାଇଛି । ବିଜେପି ଯୁବ ନେତା ଓ ମହିଳା ନେତ୍ରୀ ମଙ୍ଗରାଜପୁର ପଂଚାୟତ ଖଣ୍ଡାସ ଛକ ନିକଟରେ ଏକତ୍ର ହୋଇ ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦେଇଥିଲେ । ପରେ ସେମାନେ ଏକ ଶୋଭାଯାତ୍ରାରେ କଳା ବ୍ୟାଚ, କଳା ପୋଷାକ ଓ କଳା ଟୋପି ପିନ୍ଧି ସଭାସ୍ଥଳ ଅଭିମୁଖେ ବାହାରି ଥିଲେ । ଏହି ଶୋଭାଯାତ୍ରା ବ୍ୟାଙ୍କ ଛକ ନିକଟରେ ପଂହଚିବା ପରେ ପୋଲିସ ସେମାନଙ୍କୁ ଅଟକାଇ ଥିଲା । ଯାହାକି ସେମାନେ ସଭା ସ୍ଥଳରେ ପଂହଚି ପାରି ନ ଥିଲେ ।