ଭୁବନେଶ୍ୱର : ସୂଚନା ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ଇନଫୋସିସ୍ ର ନୂତନ ବିଜନେସ୍ ପ୍ରୋସେସିଂ ମ୍ୟାନେଜମେଂଟ ସେଂଟର (ବିପିଏମ୍) ଶାଖାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟିଆସ୍ଥିତ ଇନଫୋସିସ୍ ପରିସରରେ ଉଦଘାଟନ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଗତ ଦୁଇ ଦଶନ୍ଧି ଧରି ଓଡିଶା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଦୃଢ ଓ ସ୍ଥିର ଗତିରେ ବିକାଶ କରିଚାଲିଛି । ଏହାଦ୍ୱାରା ରାଜ୍ୟର ଏକପ୍ରକାର କାୟାକଳ୍ପ ଘଟିଛି । ଇନଫୋସିସ୍ ଜାତୀୟ ସ୍ତରରେ ବିଶେଷ କରି ଓଡିଶାରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଭିବୃଦ୍ଧି କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଛି । ବିଗତ ଅଢେଇ ଦଶନ୍ଧିରୁ ଅଧିକ ସମୟ ଧରି ଏହି ପ୍ରମୁଖ ଆଇଟି ସେବା ପ୍ରଦାନ କାରୀ ସଂସ୍ଥାର ରାଜ୍ୟର ବିକାଶ, ରାଜସ୍ୱ ବୃଦ୍ଧି ତଥା ନିଯୁକ୍ତି କ୍ଷତ୍ରରେ ବହୁ ଉଲ୍ଲେଖନୀୟ ଅବଦାନ ଅଛି । ଇନଫୋସିସ୍ର ବିଜନେସ୍ ପ୍ରୋସେସିଂ ମ୍ୟାନେଜମେଂଟ ସେଂଟର ସଂପ୍ରସାରଣ ଦ୍ୱାରା ଆମ ଯୁବପୀଢୀମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ । ରାଜ୍ୟ ସରକାର ଏଥିନିମନ୍ତେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଇଦେବେ ।
ଏହି କାର୍ଯ୍ୟକ୍ରମରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ୫-ଟି ସଚିବ ଭି କେ ପାଣ୍ଡିଆନ, ଇଲେକଟ୍ରୋନିକ୍ସ ତଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ସଚିବ ମନୋଜ କୁମାର ମିଶ୍ର, ସ୍ୱତନ୍ତ୍ର ସଚିବ ମାନସ ରଂଜନ ପଣ୍ଡା, ଅତିରିକ୍ତ ଶାସନ ସଚିବ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ତଥା କ୍ରୀଡା , ଯୁବ କଲ୍ୟାଣ ଓ ଗୃହ ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ ଓଡିଶା ଏବେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ପ୍ରତିଷ୍ଠିତ ବୈଷୟିକ ଅନୁଷ୍ଠାନମାନେ ରାଜ୍ୟ ସରକାରଙ୍କ ନୀତି ନିୟମ ଦ୍ୱାରା ଆକୃଷ୍ଠ ହୋଇ ଓଡିଶାରେ ନିଜର ପ୍ରୟୋଗ କେନ୍ଦ୍ର ସ୍ଥାପନା କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ସେଂଟର ରାଜ୍ୟର ଉଚ୍ଚଶିକ୍ଷିତ ଯୁବପିଢିଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହେବ ।
ସେହିପରି ଇନଫୋସିସ୍ ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ସହକାରୀ ମୁଖ୍ୟ (ଡେଲିଭରି) ସତୀଶ ଏଚ.ସି କହିଛନ୍ତି ବର୍ତମାନ ଇନଫୋସିସ୍ ଭୁବନେଶ୍ୱରରେ ପାଖାପାଖି ୧୦ ହଜାର କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଆଗାମୀ ଭବିଷ୍ୟତରେ ଏହି କ୍ଷମତାକୁ ୨୦ ହଜାରକୁ ବୃଦ୍ଧି କରିବାର ଯୋଜନା ରହିଛି । ଦକ୍ଷତା ବୃଦ୍ଧି ଓ ନିଯୁକ୍ତି କ୍ଷେତ୍ରରେ ଏହି ନୂତନ କେନ୍ଦ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ ।