ମାଲକାନଗିରି : ମାଲକାନଗିରି ମୋ ପାଇଁ ବହୁତ ପ୍ରିୟ । ମାଲକାନଗିରି ଓଡିଶା ବିକାଶର ଲଞ୍ଚିଂ ପ୍ୟାଡ୍ । ମାଲକାନଗିରିରୁ ହିଁ ଟଙ୍କିକିଆ ଚାଉଳ ଏବଂ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲି । ଆଜି ପୁଣିଥରେ ଏକ ଗୁରୁତ୍ଵପୂର୍ଣ୍ଣ ଯୋଜନା ଲକ୍ଷ୍ମୀ ଯୋଜନା ମାଲକାନଗିରିରୁ ଆରମ୍ଭ କରି ମୁଁ ବହୁତ ଖୁସି”, ଗୁରୁବାର ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଲି ସେତିକି ନୁହେଁ ନବୀନ କହିଛନ୍ତି ଯେ, ମାଆ ମାନଙ୍କ ପାଇଁ ବିଏସକେୱାଇରେ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥା ପାଇଁ ମାଲକାନଗିରିରୁ ହିଁ ପ୍ରସ୍ତାବ ଆସିଥିଲା । ଆମର ଏହି ଲକ୍ଷ୍ମୀ ଯୋଜନାର ସମ୍ପର୍କ ମଧ୍ୟ ମାଲକାନଗିରି ସହ ରହିଛି । ସିଏମଓର ମାଲକାନଗିରି ଭିଜିଟରୁ ମୁଁ ଆପଣଙ୍କ ଅସୁବିଧା ବିଷୟରେ ଜାଣିଲି । ତା ପରେ ଆସିଲା ଆମର ଏହି ଲକ୍ଷ୍ମୀ ଯୋଜନା । ଏହି ଯୋଜନା ଆମର ସାଧାରଣ ପରିବହନ ବ୍ୟବସ୍ଥାରେ ରୂପାନ୍ତରଣ ଆଣିବ । ଆମର ଅର୍ଥନୀତିକୁ ଆହୁରି ମଜଭୁତ କରିବ । ଗାଁ ଗାଁରେ ସମୃଦ୍ଧି ଆଣିବ ବୋଲି ନବୀନ କହିଛନ୍ତି ।
ଅନ୍ୟପଟେ ଏହି ଯୋଜନାରେ ସାରା ରାଜ୍ୟରେ ଏକ ହଜାରରୁ ଅଧିକ ବସ୍ ଚାଲିବ । ମାଲକାନଗିରିରେ ଆଜି ୩୬ଟି ବସ୍ ଚାଲିଛି । ମାଲକାନଗିରିର ୧୧୧ଟି ପଞ୍ଚାୟତକୁ ବସ୍ ସୁବିଧା ମିଳିବ । ଏହି ସବୁ ପଞ୍ଚାୟତରେ ବିକାଶର ନୂଆ ଧାରା ଆରମ୍ଭ ହେଲା ବୋଲି ନବୀନ କହିଛନ୍ତି ।